Latest Odisha News

ସ୍ପିନ ନିକଟରେ ଅସହାୟ ଟିମ ଇଣ୍ଡିଆ

ସ୍ପିନ ବୋଲିଂ ଖେଳିବାରେ ଭାରତକୁ ସିଦ୍ଧହସ୍ତ ଭାବେ ବିବେଚନା କରାଯାଏ । ତେବେ ଟିମ ଇଣ୍ଡିଆ ୨୭ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଦିନିକିଆ କ୍ରିକେଟ ସିରିଜରେ ପରାଜିତ ହୋଇଛି । ଶ୍ରୀଲଙ୍କା ସ୍ପିନ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଅସହାୟ ହୋଇ ପଡିଥିଲେ । ଯାହାକି ପୂର୍ବରୁ କେବେ ହେଲେ ଦେଖିବାକୁ ମିଳି ନ ଥିଲା । ୧୯୯୭ ପରେ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜରେ ଭାରତକୁ ମାତ ଦେଇଛି । ସେ ସମୟରେ ସଚିନ ତେନ୍ଦୁଲକର ନେତୃତ୍ୱାଧୀନ ଭାରତୀୟ ଦଳକୁ ଅର୍ଜୁନ ରାଣାତୁଙ୍ଗା ଟିମ ପରାସ୍ତ କରିଥିଲା । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଶ୍ରୀଲଙ୍କା ୩-୦ରେ ଜିତିଥିଲା ।

ଶ୍ରୀଲଙ୍କା ମାଟିରେ ଉଭୟ ଦେଶ ମଧ୍ୟରେ ୧୦ଟି ଦ୍ୱିପାକ୍ଷିକ ସିରିଜ ଖେଳାଯାଇଛି । ଭାରତ ୫ ଥର, ଶ୍ରୀଲଙ୍କା ୩ଥର ଓ ୨ଟି ସିରିଜ ଡ୍ର ରହିଛି । କୋଚ ଭାବେ ଗୌତମ ଗମ୍ଭୀରଙ୍କ ଏହା ପ୍ରଥମ ଦିନିକିଆ ସିରିଜ ଥିଲା । ପ୍ରଥମ ଥର ପାଇଁ ବିରାଟ କୋହଲି ଓ ଗମ୍ଭୀରଙ୍କ ଅସହାୟ ଭାବ ଦେଖିବାକୁ ମିଳିଥିଲା । କୋହଲି ୩ଟି ମ୍ୟାଚରେ ମାତ୍ର ୫୮ ରନ କରିଛନ୍ତି । ସ୍ପିନ ସ୍ପେଶାଲିଷ୍ଟ ଶିବମ ଦୁବେଙ୍କ ପରି ଯୁବ ଖେଳାଳି ମଧ୍ୟ ସେ ଭଳି କିଛି ଖାସ କରିପାରି ନ ଥିଲେ । ପ୍ରଥମ ମ୍ୟାଚ ଟାଇ ରହିଥିବା ବେଳେ ବାକି ୨ଟି ମୁକାବିଲାରେ ଶ୍ରୀଲଙ୍କା ବିଜୟୀ ହୋଇଛି ।

ଭାରତର ଏହି ପ୍ରଦର୍ଶନ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟିମ କମ୍ବିନେଶନ ବିଗାଡିବା ଏବଂ ହଠାତ ଅନେକଗୁଡିଏ ପରୀକ୍ଷଣ ପରାଜୟର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଆଗକୁ ଗମ୍ଭୀର, ରୋହିତ ଶର୍ମା ଓ ବିରାଟ କୋହଲି କିପରି ଟିମକୁ ମଜଭୁତ କରୁଛନ୍ତି ସେଥିପ୍ରତି ନଜର ରହିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୧୭୧ ଦିିନିକିଆ ମ୍ୟାଚ ଖେଳାଯାଇଛି ଭାରତ ୯୯ ଏବଂ ଶ୍ରୀଲଙ୍କା ୫୯ ମ୍ୟାଚରେ ବିଜୟୀ ହୋଇଛି । ୧୧ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି ।

Comments are closed.