Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ଭାରତର ପ୍ରଥମ କୁସ୍ତି ପଦକ ଜିତିଲେ ଅମନ ସେହରାଓ୍ଵତ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ ୨୧ ବର୍ଷୀୟ ଭାରତୀୟ କୁସ୍ତିଯୋଦ୍ଧା ଅମନ ସେହରାଓ୍ଵତ ପୁଏର୍ତୋ ରିକୋର ଡାରିଆନ୍ ଟୋ କ୍ରୁଜଙ୍କୁ ୧୩-୫ରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଏବଂ ରବି ଦହିୟାଙ୍କ ସହ ସେ କୁସ୍ତିରେ ଭାରତର ସପ୍ତମ ଅଲିମ୍ପିକ୍ ପଦକ ବିଜେତା ହୋଇଛନ୍ତି।

ଏହା ପୂର୍ବରୁ ଅମନ ରାଉଣ୍ଡ ଅଫ୍ ୧୬ରେ ନର୍ଥ ମେସେଡୋନିଆର ଭ୍ଲାଦିମିର ଇଗୋରୋଭଙ୍କୁ ୧୦-୦ ଗୋଲରେ ପରାସ୍ତ କରିବା ସହ କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମ୍ଖାନ୍ ଅବାକାନୋଭଙ୍କୁ ୧୨-୦ ଗୋଲରେ ପରାସ୍ତ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଦହିଆ ସମାନ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ, କିନ୍ତୁ ଅମନ ଜାତୀୟ ଚୟନ ଟ୍ରାଏଲରେ ରବିଙ୍କୁ ହରାଇ ପ୍ୟାରିସ୍ ୨୦୨୪ ପାଇଁ ସ୍ଥାନ ହାସଲ କରିଥିଲେ।

କାଂସ୍ୟ ପଦକ ମ୍ୟାଚ୍ ରେ ଟୋ କ୍ରୁଜ୍ ପ୍ରଥମେ ଗୋଲ୍ ଦେଇଥିଲେ ମଧ୍ୟ ଅମନ ତୁରନ୍ତ ଜବାବ ଦେଇ କ୍ରୁଜଙ୍କୁ ପଛରେ ପକାଇ ଅଗ୍ରଣୀ ହାସଲ କରିଥିଲେ। ବିରତି ବେଳକୁ ଅମନ ୪-୩ରେ ଆଗୁଆ ଥିବା ବେଳେ ଦୁହେଁ ପଏଣ୍ଟ ବିନିମୟ କରିଥିଲେ। ଅମନ ଦ୍ୱିତୀୟାର୍ଧରେ ଏକାଧିକ ପଏଣ୍ଟ ହାସଲ କରି ୧୩-୫ ଗୋଲ୍ ରେ ବିଜୟୀ ହୋଇଥିଲେ। ଏହି ବିଜୟ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରଥମ କୁସ୍ତି ପଦକ ଥିଲା ଏବଂ ୨୦୦୮ ପରଠାରୁ ପ୍ରତ୍ୟେକ ଅଲିମ୍ପିକ୍ସରେ ଭାରତର କୁସ୍ତି ପଦକ ଜିତିବାର ଧାରାକୁ ବଢ଼ାଇଛି।

ଅମନ ସେହରାଓ୍ଵତ କୁସ୍ତି ଦୁନିଆରେ ଅତି ଶୀଘ୍ର ନିଜ ନାଁକୁ ଯୋଡ଼ିଛନ୍ତି। ସେ ୨୦୨୧ରେ ପ୍ରଥମ ଥର ପାଇଁ ଜାତୀୟ ଚାମ୍ପିୟନଶିପ୍ ଟାଇଟଲ ଜିତିଥିଲେ ଏବଂ ୨୦୨୨ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୩ରେ ସେ କାଜାଖସ୍ତାନର ଆସ୍ତାନାଠାରେ ଅନୁଷ୍ଠିତ ଏସୀୟ କୁସ୍ତି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ୨୦୨୪ ଜାଗ୍ରେବ ଓପନରେ ଚାଇନାର ଜୋ ୱାନହାଓଙ୍କୁ ୧୦-୦ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Comments are closed.