Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ

ଶ୍ରୀନଗର: ନିକଟରେ ଅନନ୍ତନାଗରେ ହୋଇଥିବା ଆକ୍ରମଣ ପରେ ଜମ୍ମୁ ଡିଭିଜନର କିଶତୱାଡରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆଜି ସକାଳଠାରୁ ପୁଣି କିଶତୱାଡ ଜିଲ୍ଲାରେ ଗୁଳି ବିନିମୟ ଆରମ୍ଭ ହୋଇଛି। ସେନା ଆତଙ୍କବାଦୀଙ୍କୁ ଘେରି ରହିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାରା କମାଣ୍ଡୋ ସମେତ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି। ତେବେ ଦୁର୍ଭାଗ୍ୟବଶତଃ ଏହି ଅପରେସନରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ ହୋଇଛନ୍ତି।

ହାବିଲଦାର ଦୀପକ କୁମାର ଯାଦବ ଏବଂ ଲାନ୍ସ ନାୟକ ପ୍ରବୀଣ ଶର୍ମା ସହିଦ ହୋଇଛନ୍ତି। ଏଥିସହ ଦୁଇଜଣ ସାଧାରଣ ନାଗରିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇଛି। ତେବେ ଡାକ୍ତରଖାନାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ଯେପରି ଖସି ନଯାଆନ୍ତି ସେଥିପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଥାଉକି ଗତକାଲି ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଜିଲ୍ଲାର କୋକରନାଗ ଅଞ୍ଚଳର ଅହଲାନ ଗଡୋଲେରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ।

Comments are closed.