Latest Odisha News

BREAKING NEWS

ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!

ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ – ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି ଅଭିଯୋଗ କରିଛି ହିଣ୍ଡେନବର୍ଗ । ବିଦେଶରେ ଥିବା ଅଦାନୀ ଗ୍ରୁପର ଜାଲ୍ କମ୍ପାନୀରେ ସେବି ଅଧ୍ୟକ୍ଷା ମାଧବୀ ଓ ତାଙ୍କ ସ୍ୱାମୀଙ୍କ ସେୟାର ରହିଛି । ଆଉ ଏଥିପାଇଁ ହିଁ ଅଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଆର୍ଥିକ ଅନିୟମିତତା ପ୍ରତି ସେବି ଆଖି ବୁଜିଦେଇଥିଲା ବୋଲି ସଂଗୀନ ଅଭିଯୋଗ କରିଛି ହିଣ୍ଡେନବର୍ଗ । ଶିଳ୍ପପତି ଗୌତମ ଅଦାନୀଙ୍କ ଆର୍ଥିକ ଅନିୟମିତତା ଉପରେ ରିପୋର୍ଟ ପ୍ରକାଶ କରିବାର ଦେଢ ବର୍ଷ ପରେ ହିଣ୍ଡେନବର୍ଗର ନୂଆ ରିପୋର୍ଟ ଅଦାନୀ ଗ୍ରୁପ୍ ସମେତ ଏନଡିଏ ସରକାର ପାଇଁ ମଧ୍ୟ ଅଡୁଆ ସୃଷ୍ଟି କରିଛି ।

ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ମରିସସରେ ଅଦାନୀ ଗ୍ରୁପର କଳାଟଙ୍କା ନେଟୱର୍କ ନେଇ ସେବିକୁ ସୂଚନା ଦିଆଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏ ନେଇ କିଛି ଦସ୍ତାବିଜ ପ୍ରମାଣ ଭାବେ ଦର୍ଶାଇଛି ହିଣ୍ଡେନବର୍ଗ । ଅଦାନୀ ଗ୍ରୁପ ପରିଚାଳିତ ଜାଲ୍ ବିଦେଶୀ କମ୍ପାନିଗୁଡିକ ଗୌତମ ଅଦାନୀଙ୍କ ବଡ ଭାଇ ବିନୋଦଙ୍କ ଦ୍ୱାରା ପରିଚାଳିତ ହେଉଛି । ୨୦୨୩ ଜାନୁଆରୀରେ ଅଦାନୀ ଗ୍ରୁପ ବିରୋଧରେ ଷ୍ଟକ ହେରଫେର ଏବଂ ଆକାଉଂଟସ ଜାଲିଆତି ନେଇ ସାଂଘାତିକ ଅଭିଯୋଗ କରିଥିଲା ହିଣ୍ଡେନବର୍ଗ । ଏବେ ହିଣ୍ଡେନବର୍ଗର ନୂଆ ରିପୋର୍ଟକୁ ଉଭୟ ସେବି ଅଧ୍ୟକ୍ଷା ଓ ଗୌତମ ଅଦାନୀ ଜୋରଦାର ଖଣ୍ଡନ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ହିଣ୍ଡେନବର୍ଗ ରିପୋର୍ଟରେ କୌଣସି ସତ୍ୟତା ନାହିଁ ଓ ଏହି ରିପୋର୍ଟ ମାଧ୍ୟମରେ କେବଳ ଚରିତ୍ର ସଂହାର ପାଇଁ ଉଦ୍ୟମ କରାଯାଇଛି ବୋଲି ସେବି ଅଧ୍ୟକ୍ଷା ମାଧବୀ ଓ ସ୍ୱାମୀ କହିଛନ୍ତି । ସେମାନଙ୍କ ଆର୍ଥିକ କାରବାର ଖୋଲା ପୁସ୍ତକ ବୋଲି ମିଳିତ ବିବୃତିରେ କହିଛନ୍ତି ।

ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀ ହିଣ୍ଡେନବର୍ଗକୁ କଡା କାଂଉଟର କରିଛନ୍ତି । ହିଣ୍ଡେନବର୍ଗ ଏକ ବଦନାମ ସର୍ଟ ସେଲର କମ୍ପାନି । ହିଣ୍ଡେନବର୍ଗର ରିପୋର୍ଟ ଉଦ୍ଦେଶ୍ୟମୂଳକ ଓ ଭିତ୍ତିହୀନ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଗୌତମ ଅଦାନୀ । ସେବି ଅଧ୍ୟକ୍ଷାଙ୍କ ସହ ତାଙ୍କର କୌଣସି ବ୍ୟବସାୟିକ ସଂପର୍କ ନାହିଁ ବୋଲି ସଫେଇ ଦେଇଛନ୍ତି ଅଦାନୀ । ହିଣ୍ଡେନବର୍ଗ ରିପୋର୍ଟକୁ ପୁଣି ଜାତୀୟ ରାଜନୀତିରେ ଝଡ । କଂଗ୍ରେସ ନେତୃତ୍ୱାଧୀନ ବିରୋଧ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେବି ଓ ଅଦାନୀ ଗ୍ରୁପ ମଧ୍ୟରେ ରହିଥିବା ବ୍ୟବସାୟିକ ସଂପର୍କର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଅଦାନୀ ଗ୍ରୁପର ମେଗା ସ୍କାମ ସଂପର୍କରେ ତଦନ୍ତ ପାଇଁ ସେବିର କୁଣ୍ଠାବୋଧ ସୁପ୍ରିମକୋର୍ଟଙ୍କ ନଜରକୁ ମଧ୍ୟ ଆସିଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ଗାର୍ଡକୁ କିଏ ଗାର୍ଡ କରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପାର୍ଲାମେଂଟ ଅଧିବେଶନ ଅଗଷ୍ଟ ୧୨ ଯାଏଁ ବସିବାର ଥିଲା । ହଠାତ୍ ଅଗଷ୍ଟ ୯ ତାରିଖରେ ଉଭୟ ଗୃହକୁ ମୁଲତବୀ ରଖାଯାଇଥିଲା । ଏହାର କାରଣ ଏବେ ଜଳଜଳ ଦିଶୁଛି ବୋଲି ଜୟରାମ ରମେଶ କହିଛନ୍ତି । ସେବି ଅଧ୍ୟକ୍ଷା –ଅଦାନୀ ଗ୍ରୁପ୍ ସଂପର୍କ କ୍ରୋନି କ୍ୟାପିଟାଲିଜମର ଶ୍ରେଷ୍ଠ ଉଦାହରଣ ବୋଲି ଟିଏମସି ନେତ୍ରୀ ମହୁଆ ମିତ୍ର କହିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଇଁ ଆଉ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ବିରୋଧୀଙ୍କୁ ମିଳିଯାଇଛି ମୋଦି ସରକାରଙ୍କ ବିରୋଧରେ ଆଉ ଏକ ଅସ୍ତ୍ର ।

Comments are closed.