Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ମାଓଲି ଛାତିରେ ଜାକି ହୋଇଯାଇଥିଲେ ଦିଟାଯାକ ଛୁଆ । ମାଛପୁଡ଼ିଆ ଟାକୁ ବଢ଼ାଇ ଦେଉ ଦେଉ ଚକରା କହିଲା – ତୋ’ ଦେଇ କୁଆଡ଼େ ଗଲା?? କ’ଣ ପଳାଇ ଗଲାକି କାହା ସହ??

ଏ ପ୍ରଶ୍ନ ଅମୂଳକ ନଥିଲା । ଗଲା କେତେଦିନ ଧରି ଗୋଟେ ଶିତଳଯୁଦ୍ଧ କ୍ରମଶଃ ଭୟଙ୍କର ରୂପନେଇ ସାରିଥିଲା । ଚକରା ନିଶାରେ ଥିଲେ ପ୍ରାୟ ସମୟ ପିଟୁଥିଲା ଫୁଲୁରୀକୁ । ତା’ର ଚୁଟି ଘୋଷାରି ପ୍ରଶ୍ନ କରୁଥିଲା, ଖଟରୁ ତଳେ ପକାଇ ଦେଇ ଗଳାକୁ ଚାପିଧରି – “କ’ହ, ତୁ କହ ସେ ବାବୁ ସହ ତୋ’ର କି ଚକର୍‌ଚାଲିଛି…?? ତୁ ଟା…”

– କିଛି ନାଇରେ… ସେଟା ଭଲ୍ ବାବୁଟା…!! ବୁଝାଇବାକୁ ଚେଷ୍ଟା କରେ ଫୁଲୁରୀ । ବୁଝୁନଥିବା ଚକରା ଠାରୁ ମାଡ଼ଖାଇ ସକାଳୁ ଭୁଲିଯାଏ ନିଶାରେ ଥିଲା ଭାବି, ମାତ୍ର ମାଓଲି ଜାଣେ ତା\’ର ଦେଇ ପ୍ରାୟଦିନ ଯାଏ ବାବୁ ସହ ବାହାରକୁ । ବାବୁ ତାକୁ ଶାଢ଼ୀ, ଚୂଡ଼ୀ, କାନଫୁଲ, ହାର ଆଦି ଦେଉଥିଲା ଯାହାକୁ ମାଓଲି ପସନ୍ଦ କରୁନଥିଲା । ଅନେକବାର ତା’ର ବିରୋଧ ସତ୍ତ୍ୱେ ତା’ର ଆଖିରେ ଗୋଟେ ପ୍ରାପ୍ତିର ଆନନ୍ଦ ଚିକ୍‌ଚିକ୍ କରୁଥିଲା ।

ପ୍ରେମ ଗୋଟେ ସୁନ୍ଦରତମ ପାପ । ଯାହାକୁ କରିବା ଆବଶ୍ୟକ ବୋଲି ତାକୁ ବାବୁ କହିଥିଲା । ଫୁଲୁରୀ ମାଓଲିକୁ ଇର୍ଷା କରୁଛି କହି ଅପମାନିତ ମଧ୍ୟ କରିଥିଲା । ଖୁବ୍ କାନ୍ଦିଥିଲା ସେଦିନ ମାଓଲି । ଫୁଲୁରୀ ପ୍ରେମ ଖୋଜିଥିଲା ଅନେକବାର ଚକରା ଠାରୁ । ଯାହାକୁ ସେ ବାହାହୋଇଥିଲା । ପ୍ରେମ ଦେହରେ ନଥିଲା ଯାହା ସେ ପାଉଥିଲା ଚକରା ଠାରୁ
ମାଡ଼ଗାଳି ଭିତରେ ବାବୁର ପ୍ରେମ ତାକୁ ସର୍ପପରି ଲାଗିଥିଲା । ଯେଉଁ ଦୁଃଖ କାହାସହ ବାଣ୍ଟି ହୁଏନାହିଁ ତା’ର ନା’ କ’ଣ ଥିଲା ସତରେ? ଯାହାକୁ ନେଇ ଏକୁଟିଆ କାନ୍ଦିଥାଏ, ମନ୍ଥିହୁଏ ମଣିଷ ଛାତି ଭିତରେ । ସେ ମୁକୁଳି ଯିବାକୁ ଚାହେଁ ଏଇ ସ୍ଥିତିମାନଙ୍କ ଭିତରୁ । ଫୁଲୁରି ଦେଖିଥିଲା ଏକ ଭିନ୍ନ ସ୍ୱପ୍ନ । ଭିନ୍ନ ଦୁନିଆ- । ଗାଡ଼ିରେ ବସି ବାବୁ ସହ ଯାଉଥିଲା ଦୂର ପାହାଡ଼ ଉପରକୁ । ବାବୁ ତାକୁ ଖୁଆଉଥିଲା ଚାଟ୍ ।

ଆଇସ୍‌କ୍ରିମ୍‌… । ଦେଉଥିଲା ଚୁମା!! ତା’ ଓଠ ତା\’ ଗାଲ, ତା’ ବେକରେ । ଯାଉଥିଲା ଫିଲିମ୍ ହଲ୍ । ଯେଉଁଠି ବଡ଼ ବଡ଼ ଚିତ୍ର ଥିଲା ଏବଂ ତା\’ ସହ ବାବୁ ମଧ୍ୟ ଥିଲା । ତା\’ର ହାତ ଚାପି କହୁଥିଲା – ଦେଖେ ଏଇ ତୁ… ଯୋଉ ସେ ହିରୋ, ସେ ମୁଁ… । ଅନେକ ସ୍ୱପ୍ନ ଯେମିତି ଗୁନ୍ଥି ହୋଇଯାଇଥିଲା ଫୁଲୁରି ଦେହରେ, ମନରେ ।

– ଫୁଲୁରୀ… ଏ ଗୋଟେ କି ନା’…
– ମା’ ଦେଇଛି…
– ମୁଁ ତୋତେ ଫୁଲ ଡାକିବି… । ତୁ ଖୁବ୍ ସୁନ୍ଦର ଠିକ୍ ପରୀପରି ଆକାଶର ପରୀ ।
ଫୁଲୁରୀ ଫୁଲ ପରି ମହକିଯାଏ ବାବୁର ଏଇ ପଦକରେ ।
– “ଚାଲେ ପଳେଇବା… ବହୁ ଦୂରକୁ । ତୁ… ମୁଁ… ଖାଲି ସେଠି… ନା ତୋ\’ ମରଦ… ନା ତୋ\’ ଭଉଣୀ… କେହିନଥିବେ…”
– ମୋ’ କୋଳପିଲାଟା…??
– ଏୟାକୁ ସାଙ୍ଗରେ ନେଇଯିବା!! ଏଇଟା ତୋ\’ ପିଲା, ମୋ’ ପିଲା ବି ନା…
– ମୁଁ ବାହାହୋଇଛି…
– ମୋ’ର କିଛି ଅସୁବିଧା ନାହିଁ… ତୁ ଖାଲି ମୋ’ର୍‌… ବାସ୍ ଏତିକି ଜାଣିରଖେ । ମୁଁ ତୋ’ବିନା ବଞ୍ôଚବିନି ଲୋ… ଗୋଟେ କୋହ, ଗୋଟେ ମୋହ ଯେମିତି କାନ୍ଧଜାକି ବସିପଡ଼ିଥିଲା ତା\’ର କାନ୍ଧ ଉପରେ । ସେ କ୍ରମଶଃ ଆକ୍ତାମାକ୍ତା ହେଉଥିଲା ଗଲା କିଛିଦିନ ଧରି ।

ଚକରା ଆଉଥରେ ମାଓଲିକୁ ପ୍ରଶ୍ନ କଲା ଶେଜରେ ଥାଇ । ମାଛକୁ ବେସର ଦେଇ ରାନ୍ଧିଲୁ?? ଆଲୋ ଶୁଭୁନି କି?? କହ ଶୋରିଷ ବେସର ଦେଇ ରାନ୍ଧିବାକୁ… । ଏମିତି ସେ ରାତିଯାକ ଗପିବ, ଅପେକ୍ଷା ଶେଷ ନଥିଲା ଫୁଲୁରୀର ଫେରିବା ସତକୁ ଆଉ ହେଲାନି ।

ଈଶ୍ୱର ଖୋଜି ଖୋଜି ଆସିଥିଲା ତା’ ଘରକୁ । ତା’ର ଭିଣେଇକୁ ପ୍ରସ୍ତାବ ଦେଲା ମାଓଲି ପାଇଁ । ଭିଣେଇ ଗୋଟେ ବଡ଼ ନ୍ୟାୟବାନ୍ ପରି ବସିଥିଲା ସେଦିନ ଗୋଡ଼ ଉପରେ ଗୋଡ଼ରଖି । ଅନେକ ପ୍ରଶ୍ନ କରିଥିଲା ଈଶ୍ୱରକୁ – ତୁମେ ଜାଣ ସବୁକଥା??
– ହଁ
– ଏଠି ପୁଣି ସମ୍ଭାଳିବ କିଏ? ତା’ର ଭଉଣୀ ମୋ’ର ଛୁଆମାନଙ୍କୁ??
– ମୁଁ ସମ୍ଭାଳିବି…
– ହିହି ହସିଥିଲା ଚକରା । ପେଟରେ ମଦ ଥିଲା, ନିଶା ତଥାପି ସତେଜ ହୋଇ ନଥିଲା । କହିଲା – ଶଳା ମୁଁ ଚଳେଇ ଚଳେଇ ଗୋଟେ ପଳାଇଲା, ଏଇ କାଳେ ଚଳେଇବ…
– ଭଲ କଥା, ତୁ ରାଜି ଏ ପ୍ରସ୍ତାବରେ?? ମାଓଲି ଆଡ଼କୁ ବେକ ଭାଙ୍ଗି ପ୍ରଶ୍ନ କରିଥିଲା ଚକରା!
ଚକରାର ବୋଉ ଆସିଥିଲା ତାଙ୍କ ଘରକୁ । ଈଶ୍ୱର ମାସଟେ ସମୟ ମାଗିଥିଲା ବାହାଘର ପାଇଁ । ଖୁବ୍ ପରିଶ୍ରମ କରୁଥିଲା । ସଞ୍ଚୟ କରୁଥିଲା । ତା’ ପାଇଁ ନୀଳ ରଙ୍ଗର ସେରୱାନୀ କିଣିଥିଲା । ମାଓଲି ପାଇଁ ଦୁଇପଟ ସୁନାଶଙ୍ଖା । ନାଲି ଜରିଲଗା ଶାଢ଼ୀ ଯାହା ପାଟପରି ଦିଶୁଥିଲା । ଫୁଲରେ ସଜ୍ଜା ହେଲା ରିକ୍ସା ଠିକ୍ ଗାଡ଼ିପରି । ଫୁଲରେ ସଜ୍ଜାହୋଇ ରିକ୍ସାରେ ଆଣିବାକୁ ଗଲା ଈଶ୍ୱର । ବାଣଫୁଟାଇ ବାହାହେବାକୁ ଗଲା ବରଯାତ୍ରୀ ସହ ମନ୍ଦିରକୁ ।

ଈଶ୍ୱର ସ୍ମରଣୀୟ କରିବାକୁ ଚାହେଁ ତା’ ବାହାଘର । ଯାହା କେହି କେବେ କରିନଥିବେ ତା’ ପାଇଁ । ଫିଲିମ୍ ଢଙ୍ଗରେ ମାଓଲିକୁ ଉଠାଇ ଆଣିଥିଲା ରିକ୍ସାରୁ ନିଜର ଦୁଇ ହାତରେ ନିଜର ରାଉସାପାଟଣା ଘରକୁ । ଯେଉଁଠି ତା\’ର ଖଟରେ ସଜାଇଥିଲା ତିନିଶହ ଟଙ୍କାର ରଜନୀଗନ୍ଧା ମାଳ ।
ମାଓଲୀ ପିନ୍ଧିଥିଲା ଖଇରୀ ନାଲି ରଙ୍ଗ ମିଶା ଜରିପକା ଶାଢ଼ୀ । ମଥାରେ ପୁଳାଏ ସିନ୍ଦୁର । ନାଲି ସିନ୍ଦୂର ଟୋପାର ଚାରିକଡ଼ରେ ଧଳା କୁଙ୍କୁମ । ଆଖିରେ କଜ୍ଜଳ । ଖୁବ୍ ସୁନ୍ଦର ଦିଶୁଥିଲା ସେ । ତା’ର ହାତରେ ଭର୍ତ୍ତିଥିଲା ନକଲି ସୁନାରଂଗ ଓ ନାଲି ଚୂଡ଼ି ମାନ । ଢ଼େର କାନ୍ଦିଥିଲା ଚକରା, ତା\’ର ସାନଭଉଣୀ । ପଛରେ ରହି ଗଲା ତା\’ର ପୁଳାଏ ଛେଳି । ତା\’ର ଘରମଣି । ଚକରା ତା’ ଭିତରୁ ତିନିଟା ଛେଳି ବିକ୍ରି କରିଥିଲା ତା’ ବାହାଘର ପାଇଁ । ବଡ଼ଭାଇ ପରି ସେଦିନ ତା\’ର ଦାୟିତ୍ୱ ନିର୍ବାହ କରିଥିଲା । ମଦପିଇ ନଥିଲା… ଯାହା ପାଇଁ ମାଓଲି ବେଶୀ କାନ୍ଦିଉଠିଲା ।
ଜୀବନ ସରିଯାଏ ସଂପର୍କ ବୁଝିହୁଏନା । ସଂପର୍କ ବୁଝିଲା ବେଳକୁ ଜୀବନ ମଧ୍ୟ ସରିଯାଏ । ମଣିଷର ଏଇ ଅସହାୟତା ମାଓଲି ଠାରୁ ଅଧିକ କିଏ ବୁଝିପାରିବ ।

ଈଶ୍ୱର ସେଦିନ ତାକୁ ପ୍ରଥମ କରି ଛୁଇଁଥିଲା । ଦୁହିଁଙ୍କ ପାଇଁ ପ୍ରଥମହିଁ ଥିଲା । ନାରୀର ଦେହ ଈଶ୍ୱର ପାଇଁ ମାଓଲି ଦେବୀ । ତା\’ର ମୋଟାଓଠରେ ଓଠ ଥାପିବା ବେଳେ ମାଓଲିକୁ ଲାଗିଥିଲା ଯେମିତି ସେ ଶୂନ୍ୟ ହୋଇଯାଉଛି ନିଜଠାରୁ, ନିଜର ଅସ୍ତିତ୍ୱ ଠାରୁ… ନିଜର ଓଜନ ଠାରୁ, ନିଜର ଚାରିପାଖରୁ… ନିଜର ଦୁନିଆ ଠାରୁ ।

ଈଶ୍ୱର ତା’ର ଓଠକୁ କାମୁଡ଼ି ଦେଲା, ମାଓଲି ଚାପିଧରିଲା ଈଶ୍ୱରର ହାତ । ନିଜକୁ ବୁଝିବା ଆଗରୁ ହଜିଗଲା ମାଓଲି ଭିତରେ ଈଶ୍ୱର । ସେମାନଙ୍କ ପ୍ରେମ, ଜୀବନ ଓ ବିବାହ ଆଜି ପବିତ୍ରତମ ମିଳନ, ସୃଷ୍ଟିର ଅନନ୍ୟ ଇତିହାସ ଥିଲା… ।
ମାଓଲି ଏବେ ଈଶ୍ୱରର ପ୍ରେମିକା ଅଧିକା ପତ୍ନୀ କମ୍ । ମାଓଲି ପାଇଁ ଈଶ୍ୱର କେବଳ ଈଶ୍ୱର!! ତା\’ର ପ୍ରେମ ତା’ର ଜୀବନ, ତା’ର ଅଦ୍ୱିତୀୟ ଈଶ୍ୱର ଯାହାକୁ ସେ ପ୍ରେମ, ଭକ୍ତି ଆଦର୍ଶ, ଜୀବନ ସବୁ ମାନିନେଇଥିଲା ।

ମାଓଲି ଓ ଈଶ୍ୱରଙ୍କ ପ୍ରେମ ଥିଲା ମାତ୍ର ନଅମାସର । ଈଶ୍ୱର ପ୍ରେମିକା ହୋଇ, ତା\’ର ପତ୍ନୀ ହୋଇ, ତା\’ ପିଲାର ମା\’ ହେବାର ସୌଭାଗ୍ୟ ଲାଭ କରିଥିଲା ମାଓଲି । କେତେ ଖୁସି ଥିଲେ ଦୁହେଁ… ଆତ୍ମହରା ହୋଇପଡ଼ିଥିଲେ ।
ମାଓଲି ଆସିବା ସହ ଈଶ୍ୱରର ମା’ ହୁଏତ ଆପଣେଇ ପାରିନଥିଲା ପୁଅର ପ୍ରେମକୁ । ମାତ୍ର ପୁଅ ବାପା ହେବାକୁ ଯାଉଛି ଜାଣିବା ଖୁସିରେ ପାଗଳି ହୋଇ ଯାଇଥିଲା ଈଶ୍ୱରର ମା’!

ଈଶ୍ୱର ଓ ମାଓଲି ଦୁହେଁ ସ୍ୱପ୍ନ ଦେଖୁଥିଲେ ଯେବେ ଜାଣିଲେ ଦୁହେଁ ତାଙ୍କ ପ୍ରେମକୁ ରୂପଦେଇ ପାରିଛନ୍ତି । ଈଶ୍ୱରର ସ୍ୱପ୍ନ ଆକାଶ ଛୁଇଁଥିଲା । ପାଦ
ଆଉ ଲାଗୁନଥିଲା ମାଟିରେ । କହୁଥିଲା
– ମୁଁ ସିନା ରିକ୍ସା ଟାଣୁଛି । ପିଲାଦିନେ ପାଠ ପଢ଼ିଲି ନାହିଁ… ମୁଁ କିନ୍ତୁ ମୋ\’ ପୁଅକୁ ସାହେବ କରିବି… ତୁ ଦେଖିବୁ ମୋ\’ ପୁଅ ହେବ ସାହେବ…
ଏଇ ପଦକ କଥା ଥିଲା ତା\’ର ଜିଭରେ ।
– ତୋ’ର ପୁଅ ହେବ, ବୋଲି କେମିତି ଜାଣିଲୁ??
– ମତେ ଲାଗୁଛି!! ଝିଅହେଲେ ଆହୁରି ଭଲ! ଯାହା ବି ହେଉ । କ\’ଣ ଫରକ ପଡ଼େ ବୋକି । ମୋ\’ ଛୁଆ ତ ସାହେବ ହେବ । ସାହେବ!! ଲୋକ
ସଲାମି ଠୁଙ୍କିବେ… ସେ ଗାଡ଼ିରୁ ଓହ୍ଲାଇବା ବେଳେ ।”…

ଆଖି ତା’ର ଚିକ୍‌ମିକ୍ କରିଉଠେ ଅସଂଖ୍ୟ ସ୍ୱପ୍ନ ନେଇ । ଚୁଟୁକି ମାରି ଡେଇଁପଡ଼େ ଖଟରୁ । ରିକ୍ସାରୁ… ଈଶ୍ୱର । ମାଓଲିକୁ ଖୁବ୍ ଖୁସି ରଖେ । ମଜାଥଟ୍ଟା କରୁଥାଏ ତା’ ଚାରିପାଖେ । କହେ “ତୁ ଖୁସି ରହିଲେ ମୋ’ ଛୁଆ ଖୁସିବାସିଆଟା ହବ… ତୁ ଦୁଃଖି ହେବୁନି… । ତୋ’ ଆଖିରେ ଲୁହ ଦେଖିଲେ ମୁଁ ସହିପାରିବିନି ।
ସତରେ ମାଓଲିକୁ ସେ ପଦେ ଟାଣ କରି କଥା ମଧ୍ୟ କହି ନଥିଲା । ମାଓଲି ତା\’ ପ୍ରାଣ ଥିଲା । ସଭିଏଁ କହୁଥିଲେ – “କ’ଣ ଅଛି ଏଇ କାଳିଟାଠି… ଏଇ
ଏତେ ଭଲପାଉଛି… ।”

ମାଓଲିର ସାନଭଉଣୀ କହେ – ତୁ ଭାଗ୍ୟବତୀ ଲୋ ଅପା! ତୋତେ ଏମିତି ବର ମିଳିଛି । ତୋ’ପରି ବର ସଭିଙ୍କୁ ମିଳୁ । ଲକ୍ଷେ ଶିବପୂଜା କଲେବି ଏମିତି ବର ମିଳିବ ନାହିଁ ।

ସତରେ ମାଓଲି ଭାଗ୍ୟବତୀ ମଣେ ନିଜକୁ । ଈଶ୍ୱର ପ୍ରତି ତା\’ର ଲୋଭ ଓ ଅନ୍ୟମାନଙ୍କର ଦୃଷ୍ଟି ତାକୁ ଭୟ ପ୍ରଦାନ କରେ । ସେ ଈଶ୍ୱରକୁ ଜାବୁଡ଼ି ଧରେ ପାଖରେ ପାଇଲେ । ଭିଡ଼ି ରଖେ ଆପଣା କାନିରେ ବାନ୍ଧି କହେ – ମୋତେ ଏକା କରି ଯିବୁନି!!
– ଧେତେ ପାଗିଳୀ କେଉଠିକାର… କହେ ଈଶ୍ୱର ।
ଏକାଠି ଖାଇବା, ଏକାଠି ବସିବା, ଏକାଠି ସ୍ୱପ୍ନ ଦେଖିବା ଭିତରେ ଦୁହେଁ ଏକାଠି ପଣରେ ଭୁଲିଯାଇଥିଲେ ସେମାନେ ଦୁଇଟା ଅଲଗା ଦେହ ବୋଲି ।
ଦୁଇଟି ଦେହ, ଗୋଟିଏ ମନ, ଗୋଟିଏ ଚିନ୍ତା, ଗୋଟିଏ ଚେତନା ।

ଜଣଙ୍କୁ କଷ୍ଟ ହେଲେ ଅନ୍ୟଜଣେ କାନ୍ଦୁଥିଲା । ଜଣଙ୍କୁ ଯନ୍ତ୍ରଣା ହେଲେ, ଆର ଜଣକ ବିକଳ ହେଇପଡ଼ୁଥିଲା । ମାଓଲି ଓ ଈଶ୍ୱର ଜୀବନ, ପ୍ରେମ, ସଂସାର ସବୁର ଆୟୁଷ ଥିଲା ମାତ୍ର ନଅମାସ!! ଈଶ୍ୱର ସ୍ୱପ୍ନ ବୁଣୁଥିଲା ପ୍ରତି ମୁହୂର୍ତ୍ତରେ । ଗୋଟିଏ ସ୍ୱପ୍ନ ତା\’ ଛୁଆ ସ୍ତ୍ରୀକୁ ଖୁସିରେ ରଖିବ, ତା’ ଛୁଆ ପାଇଁ ସବୁ କରିବ । ସ୍ୱପ୍ନ ବୁଣୁଥିବା ଈଶ୍ୱର ହସ
ଭିତରେ ମାଓଲି ହସ ଆଙ୍କେ । ତା’ର ଦିନଯାକର ଥକ୍କାପଣ ମାଓଲି ଓଠର ହସଭିତରେ ଉଭାନ୍ ହୋଇଯାଏ । ମାଓଲିର ଶାଢ଼ୀ କାନିରେ ମୁହଁ ପୋଛିଦେଲେ ତାକୁ ଫୂର୍ତ୍ତି ଲାଗେ । ଈଶ୍ୱର ଦୁଃଖ ଭିତରେ ହସ ଆଙ୍କେ । ସେଇବେଳେ ସାରା ସଂସାର ଯାକର ହସ ଯେମିତି ଥାଏ ତା’ ଓଠରେ । କିଏ ଯେମିତି ନେସିଦେଇଥାଏ ଅଜସ୍ର ହସର ଫୁଆର । ଆତ୍ମହରା ହୋଇପଡ଼େ ମାଓଲି । ମୁଠାଏ ମଲ୍ଲୀଫୁଲର ମହକ ପରି ମୁଠାଏ ହସ ଚହଟିଯାଏ ତା’ ଓଠରେ । ଖୁବ୍‌
ସୁନ୍ଦର ଦିଶେ ସେ ।

ଏତେ ସପନକୁ ରାତି ନିଅଣ୍ଟ । କାଠଯୋଡ଼ିର ହାଲକା ପବନର ତାଳେ ତାଳେ ରିକ୍ସା ଟାଣିଗଲା ବେଳେ ଈଶ୍ୱର ଭାବେ ମାଓଲି କଥା । ସଂସାର ଯାକର ସବୁଠାରୁ ସୁନ୍ଦର ତା’ର ସ୍ତ୍ରୀ । ଏଇ କଥା ତା’ ମନକୁ ଉଚ୍ଚାଟ କରିଦିଏ । ମାଓଲି ବିନା ମୁହୂର୍ତ୍ତଟେ ସେ ରହିବା କଥା ଚିନ୍ତା ମଧ୍ୟ କରିପାରେ ନାହିଁ..

କ୍ରମଶଃ

Comments are closed.