Latest Odisha News

କୋଲକାତା ଲଜ୍ଜା: ଆଜି ଅଭିଯୁକ୍ତର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ; ସିବିଆଇକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରାଯାଉଛି। ଏହି ସମୟ ମଧ୍ୟରେ ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ଶୁଣାଣି କରିବାକୁ ଯାଉଛନ୍ତି।

ଏହି ମାମଲାରେ ଦୁଇ ଦିନ ତଳେ ନିଜ ଆଡୁ ହସ୍ତକ୍ଷେପ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ । ସେପଟେ ଏହି ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହୋଇପାରେ ପଲିଗ୍ରାଫ୍ ବା ଲାଇ ଡିଟେକ୍ସନ ଟେଷ୍ଟ । ସିବିଆଇକୁ ଏଥିପାଇଁ କୋଲକତା ହାଇକୋର୍ଟ ଅନୁମତି ଦେଇଛନ୍ତି । ଅଭିଯୁକ୍ତ ସଞ୍ଜୟ ରାୟ ଏଭଳି ଜଘନ୍ୟ କାଣ୍ଡ ଭିଆଇବା ପୂର୍ବରୁ ପ୍ରଚୁର ନିଶାସେବନ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅପରାଧ ଘଟାଇବା ଦିନ ରାତି ୧୧ଟାରେ ସେ ହସ୍ପିଟାଲ ପଛପଟକୁ ଯାଇ ମଦ୍ୟପାନ କରିଥିଲା।

ପୋଲିସର ସୂଚନା ଅନୁଯାୟୀ, ସେଦିନ ସଞ୍ଜୟ ବିନା କାରଣରେ ବିଭାଗକୁ ଆସିବା ସହ ଏଭଳି କାଣ୍ଡ ଘଟାଇଥିଲା। ପିଚାଶ ସହ ପୀଡିତା ଖୁବ ଲଢେଇ କରିଥିଲେ। ଫଳରେ ପୀଡିତାଙ୍କ ଶରୀର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଅପରାଧ ଘଟାଇବା ପରେ ଅଭିଯୁକ୍ତ ଜଣକ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ଘଟଣା ସ୍ଥଳରୁ ରକ୍ତଦାଗ ଧୋଇବାକୁ ଚେଷ୍ଟା କରି ଭୋର ୪ଟା ୫୫ରେ ସେ ସେମିନାର ରୁମ ଛାଡୁଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି।

Comments are closed.