Latest Odisha News

ଆରଜି କର ମେଡିକାଲ କଲେଜ ସୁରକ୍ଷା ଦାୟିତ୍ବରେ ସିଆଇଏସଏଫ

କୋଲକାତା: କୋଲକାତା ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ତେଜିଛି ଡାକ୍ତରଙ୍କ ବିରୋଧର ସ୍ବର । ଡାକ୍ତରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।  ଯାହାକୁ ନେଇ ଆଜି ବଡ ଆଶ୍ବସନା ଦେଇଛନ୍ତି କୋର୍ଟ । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କୋଲକାତା ଆରଜି କର ମେଡିକାଲ କଲେଜର ସୁରକ୍ଷା ଦାୟିତ୍ବ କୋଲକାତା ପୋଲିସ ହାତରୁ ନେଇ ଆଜି ସୁରକ୍ଷା ବାହିନୀ ସିଆଇଏସଏଫ ହାତକୁ ଦେଇଛି । ଫଳରେ ନିର୍ଭୟରେ ଡାକ୍ତରମାନେ ପୁଣି ତାଙ୍କ କାର୍ଯ୍ୟକୁ ଫେରି ପାଇବେ ।

ଏନେଇ କୋର୍ଟ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଡାକ୍ତରଙ୍କୁ ତାଙ୍କ କାମକୁ ଫେରିବାକୁ ହେଲେ ପରିସ୍ଥିତି ସୁରକ୍ଷିତ ହେବା ନିହାତି ଆବଶ୍ୟକ । ତେଣୁ ଆମେ ଏହା ପ୍ରତିଶ୍ରୁତି ଦେଉଛୁ, ଆବଶ୍ୟକ ଅନୁଯାୟୀ ସିଆଇଏସଏଫର ଟିମ୍ ଆରଜି କର ମେଡିକାଲ କଲେଜରେ ସୁରକ୍ଷା ପ୍ରଦାନ କରିବେ । ତେବେ ଗତ ୧୪ ତାରିଖରେ ଉକ୍ତ ମେଡିକାଲ କଲେଜରେ ଯେଉଁଭଳି ଆନ୍ଦୋଳନକାରୀ ଧସେଇ ପସି ଭଙ୍ଗାରୁଜା କରିଥିଲେ ତାହାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ସୁରକ୍ଷା ପାଇଁ କିଛି ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ତେବେ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଯେଉଁଭଳି ଭାବେ ବିଭତ୍ସ ହତ୍ୟା କରାଗଲା ତା ଉପରେ ଆଜି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ମୁଖ୍ୟ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାର ଓ ପୋଲିସ ପ୍ରଶାସନ ଉପରେ ଖୁବ୍ ବର୍ଷିଛନ୍ତି ।  ଏହି ଦୁଷ୍କର୍ମକୁ କଲେଜର ପ୍ରିନ୍ସିପାଲ ପ୍ରଥମେ ଆତ୍ମହତ୍ୟା ବୋଲି କାହିଁକି କହିଥିଲେ ? ପୀଡିତାଙ୍କ ପରିବାରଙ୍କୁ ପୀଡିତାଙ୍କ ଶବ କାହିଁକି ବିଳମ୍ବରେ ଦେଖିବାକୁ ଦିଆଗଲା ? ଘଟଣା ଘଟିବାର ଅନେକ ସମୟ ପରେ କାହିଁକି ଏନେଇ ମାମଲା ରୁଜ୍ଜୁ ହେଲା ? ଘଟଣା ପରେ ଘଟଣା ସ୍ଥଳକୁ କାହିଁକି ସିଲ୍ କରାଯାଇନଥିଲା? ପୋଲିସ୍ ମୁତୟନ ଥାଉ ଥାଉ ୭ ହଜାର ଲୋକ ପଶିକି ଭଙ୍ଗା ରୁଜା କଲେ ସେଠି ପୋଲିସ କରୁଥିଲା କ’ଣ? ଏମିତି ଅନେକ କିଛି ପ୍ରଶ୍ନ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ପୀଡିତାଙ୍କ ଫଟୋ ଓ ଭିଡିଓ ଯାହା ଘୁରି ବୁଲୁଛି ତାହାକୁ ଦୃଢ ନିନ୍ଦା କରିଛନ୍ତି ସୁପ୍ରମିକୋର୍ଟ । ଏହା ସହିତ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି । ଏହି ଟାସ୍କ ଫୋର୍ସ ସର୍ବୋଚ୍ଚ ନ୍ୟାୟଳାୟର ତତ୍ବାବଧାନରେ ଗଠନ ହେବ । ଏଥିରେ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏଥିସହିତ ଗୁରୁବାର ଭିତରେ ମାମଲା ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେିଛନ୍ତି ସୁପ୍ରିମକୋର୍ଟ । ଏଯାବତ ସିବିଆଇ ମାମଲାକୁ ନେଇ କି କି ପଦକ୍ଷେପ ଗ୍ରହଣ କଲେଣି ସେନେଇ ଏକ ସଂପୂର୍ଣ୍ଣ ତଥ୍ୟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବ ସିବିଆଇ । ଏହାସହିତ କୋର୍ଟ ଡାକ୍ତରମାନଙ୍କୁ ମଧ୍ୟ ବିକ୍ଷୋଭରୁ ଓହରି ଯିବା ପାଇଁ ଆହ୍ବାନ ଦେଇଛନ୍ତି କୋର୍ଟ ।

Comments are closed.