Latest Odisha News

ଭୁବନେଶ୍ୱରରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଟିମ

ଭୁବନେଶ୍ୱର: ପ୍ୟାରିସ  ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଖେଳାଳିମାନଙ୍କୁ ବୁଧବାର ଭୁବନେଶ୍ୱରର ବିମାନବନ୍ଦରରେ ପଂହଚିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ହକି ଟିମ୍ ର କ୍ରୀଡ଼ାବିତ୍ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହାପରେ ଭାରତୀୟ ହକି ଟିମ୍ କୁ ଏକ ରୋଡ଼ ସୋ ମାଧ୍ୟମରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ କଳିଙ୍ଗ ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଅଣା ଯାଇଥିଲା । ଏହି ଅବସରରେ ସମ୍ପୂର୍ଣ୍ଣ ପରିବେଶ ପ୍ରଶଂସକ ମାନଙ୍କର “ଟିମ ଇଣ୍ଡିଆ ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ।

ବିଭିନ୍ନ ସ୍ଥାନରେ ଲୋକ ନୃତ୍ୟ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଜନ ସାଧାରଣମାନେ ଭାରତୀୟ ହକି ଟିମ୍ କୁ ଅଭିବାଦନ ଜଣାଇଥିଲେ । ଆଜିର ଭବ୍ୟ ସ୍ୱାଗତ ସମାରୋହ ଅବସରରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ, ‘ଓଡ଼ିଶା ମାଟିରେ ଭାରତୀୟ ହକି ଟିମ୍ ର କ୍ରୀଡାବିତ୍ ମାନଙ୍କୁ ସ୍ୱାଗତ ଜଣାଉଛି । ଆପଣ ମାନେ ହେଲେ ଆମ ଗର୍ବ ଓ ଗୌରବ । ଅଲିମ୍ପିକ୍ସ ଖେଳରେ କାଂସ୍ୟ ପଦକ ଜିତି ଆପଣ ମାନେ ଇତିହାସ ରହିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଆପଣମାନେ ଆଗାମୀ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ବିଜୟ ଲାଭ କରି ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ମୋର ଆଶା ।

ପ୍ରକାଶଯୋଗ୍ୟ ଯେ, ଟୋକିଓ ଅଲମ୍ପିକ୍ସ -୨୦୨୦ ଓ ପ୍ୟାରିସ ଅଲମ୍ପିକ୍ସ – ୨୦୨୪ ରେ ଭାରତୀୟ ହକି ଟିମ୍ ଲଗାତାର ଦୁଇ ଥର ଭାବେ କାଂସ୍ୟ ପଦକ ଅର୍ଜନ କରି ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ୧୯୨୮ ମସିହାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଭାରତୀୟ ହକିଟିମ୍ ଅଲମ୍ପିକ୍ସ ପ୍ରତିଯୋଗିତାର ବିଭିନ୍ନ ସଂସ୍କରଣରେ ଅଂଶ ଗ୍ରହଣ କରିଛନ୍ତି ଏବଂ ଭାରତୀୟ ହକି ଟିମ୍ ପାଖରେ ୮ ଟି ସ୍ବର୍ଣ୍ଣ, ୧ ଟି ରୌପ୍ୟ ଏବଂ ୪ ଟି କାଂସ୍ୟ ପଦକ ତଥା ସର୍ବମୋଟ ୧୩ ଟି ଅଲମ୍ପିକ୍ସ ପଦକ ରହିଛି ।

Comments are closed.