Latest Odisha News

BREAKING NEWS

ତାତିଲେଣି ବିରୋଧୀ…ମଦମୃତ୍ୟୁର ତଦନ୍ତ କେବେ?

ଭୁବନେଶ୍ବର: ବିଧାନସଭାରେ ଚିକିଟି ମଦମୃତ୍ୟୁ ତାତି। ଉଠିଲା ପଡିଲା ପ୍ରଶ୍ନକାଳ । ଗୃହରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଗଲେ ବିଜେଡି ନେତା । ସୋର ବିଧାୟକ ମାଧବ ଧଡା ଓ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ପୋଡିୟମ ଉପରକୁ ଚଢିଯାଇଥିଲେ । କଂଗ୍ରେସ ମଧ୍ୟ ମଦମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛି । ସେପଟେ ସରକାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବି ତଦନ୍ତ ଦୋଛକିରେ ରହିଛି ।

ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅ !

ଚିକିଟି ମଦମୃତ୍ୟୁ ମାମଲାରେ ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ପୂର୍ବ ନବୀନ ସରକାର ସମୟରେ ଯେବେ ବି ରାଜ୍ୟରେ ମଦମୃତ୍ୟୁ ହୋଇଛି ଅବକାରୀ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କାଳିନ୍ଦୀ ବେହେରା ହୁଅନ୍ତୁ କି ଏୟୁ ସିଂହଦେଓ, ବିଜେଡି ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ଚିକିଟିରେ ବିଷାକ୍ତ ମଦ ପିଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସିତ ହେଉଛନ୍ତି । କାହିଁକି ଅବକାରୀ ମନ୍ତ୍ରୀ ଇସ୍ତଫା ଦେବେନି ବୋଲି ବିଜେଡି ପ୍ରଶ୍ନ କରିଛି । ଏଥିସହ ଚୋରା ମଦ ବେପାରୀଙ୍କ ସହ ବିଜେପି ସରକାରଙ୍କ ସଲାସୁତରା ଚାଲିଥିବାରୁ ମାମଲାରେ କୌଣସି ଆକ୍ସନ୍ ନିଆଯାଉନଥିବା ବିଜେଡି ଅଭିଯୋଗ କରିଛି । କଂଗ୍ରେସ ବି ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛି । ସେପଟେ ବିରୋଧୀ ପ୍ରଶ୍ନକାଳ ଚଳାଇ ଦେଉନାହାନ୍ତି । ମନ୍ତ୍ରୀ ଏମକେସିଜିରେ ଅସୁସ୍ଥଙ୍କୁ ଭେଟି ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ବିଜେପି କହିଛି ।

ଆସିବ ନୂଆ ଅବକାରୀ ନୀତି

ବିଧାନସଭାରେ ଚିକିଟି ମଦମୃତ୍ୟୁ ମାମଲାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସତ୍ୟ ଓ ତଥ୍ୟ ଲୁଚାଇବାକୁ ସରକାରଙ୍କ ଉଦ୍ୟମ ଯୋଗୁଁ ଜନଅସନ୍ତୋଷ ନେଇ ମୁଲତବି ପ୍ରସ୍ତାବ ଆଣିଥିଲା କଂଗ୍ରେସ । ଏନେଇ ଅବକାରୀ ମନ୍ତ୍ରୀ ବିବୃତ୍ତି ରଖିଥିଲେ । ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବେଆଇନ ମଦ ଜବତ ନେଇ ସୂଚନା ଦେଇଥିଲେ । ତେବେ ବିରୋଧୀଙ୍କ ହଟ୍ଟଗୋଳ ପରେ ସରକାର ନୂଆ ଅବକାରୀ ନୀତି ଆଣିବେ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖରେ ମଦ ଦୋକାନ ରଖାଯିବନି । ଚୋରା ମଦ କାରବାର ନେଟଓ୍ବର୍କର ମୂଳୋତ୍ପାଟନ କରାଯିବ । ଡ୍ୟାନ୍ସ ବାର ସଂପୂର୍ଣ୍ଣ ବନ୍ଦ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଦୋଛକିରେ ମଦ ତଦନ୍ତ

ଚିକିଟି ମଦମୃତ୍ୟୁକୁ ନେଇ ବିରୋଧୀ ବିଜେପି ସରକାରକୁ କାଠଗଡାକୁ ଟାଣିଥିବା ବେଳେ ଗୁରୁବାର ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଅବକାରୀ ମନ୍ତ୍ରୀ। ତେବେ ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଚଳିତ ବର୍ଷ ଜୁଲାଇ ୨୫ରୁ ଦକ୍ଷିଣାଞ୍ଚଳ ଆରଡିସି ପଦ ଖାଲି ପଡିଥିଲା। ଏହାପୂର୍ବରୁ ଆରଏସ୍ ଗୋପାଳନ ଉଭୟ କଟକ ଓ ବ୍ରହ୍ମପୁର ଆରଡିସି ରହିଥିଲେ । ବୁଧବାର ରୂପାରୋଶନ ସାହୁ ଦକ୍ଷିଣାଞ୍ଚଳ ଆରଡିସି ହୋଇଛନ୍ତି, ହେଲେ ଏପର୍ଯ୍ୟନ୍ତ ସେ ଜଏନ୍ କରିନାହାନ୍ତି । ଏମିତିରେ ଜଣେ ମହିଳା ଅଧିକାରୀ ଗ୍ରାଉଣ୍ଡକୁ ଯାଇ କେତେ ଶୀଘ୍ର ତଦନ୍ତ ସାରି ରିପୋର୍ଟ ଦେଇପାରିବେ ସେନେଇ ବି ପ୍ରଶ୍ନ ଉଠୁଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗଞ୍ଜାମ ଜିଲ୍ଲାରେ । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ ଚିକିଟି ମଦମୃତ୍ୟୁ ମାମଲା ସମ୍ବେଦନଶୀଳ । ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜେପି ସରକାରକୁ କାଠଗଡାକୁ ଟାଣୁଛନ୍ତି ବିରୋଧୀ । ଚୋରା ମଦ କାରବାରରେ ବିଜେପି ନେତାଙ୍କ ସଂପୃକ୍ତି ଯୋଗୁଁ ତଦନ୍ତ ବିଳମ୍ବ କରାଯାଉଥିବା ନେଇ ବି କହିଲାଣି ବିଜେଡି । ଏଭଳି ସ୍ଥିତିରେ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଉଛନ୍ତି, ତାଉପରେ ନଜର ରହିଛି ।

Comments are closed.