Latest Odisha News

‘ଏମର୍ଜେନ୍ସି’କୁ କୋର୍ଟ ଝଟକା: ମିଳିବନି ସାର୍ଟିଫିକେଟ 

ମୁମ୍ବାଇ : ‘ଏମର୍ଜେନ୍ସି’ କୁ କୋର୍ଟ ଝଟକା। ତୁରନ୍ତ ସାର୍ଟିଫିକେଟ ନଦେବାକୁ ସିବିଏଫସିକୁ ମନା କରିଦେଲେ କୋର୍ଟ।

ବଲିଉଡ୍ କୁଇନ୍ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱାତଙ୍କ ପିଛା ଛାଡୁନି ବିବାଦ। ବହୁ ଦିନ ପରେ ପୁଣି ସିନେମାରେ ଆସିବାକୁ ଯାଉଥିଲେ, ହେଲେ ସତେ ଯେପରି ତାଙ୍କ ସିନେମାକୁ କାହାର ନଜର ଲାଗିଯାଇଛି। ସେନସର ବୋର୍ଡ ତାଙ୍କ ସିନେମାକୁ ସ୍ଵୀକୃତି ଦେଇଥିଲେ ମଧ୍ୟ ଅନେକ ଧମକ କାରଣରୁ ଏଯାଏଁ ଏହାକୁ ସାର୍ଟିଫିକେଟ ମିଳି ପାରିଲା ନାହିଁ।

ଯାହାକୁ ନେଇ ଏହି ସିନେମାର ସହ-ନିର୍ମାତା ଜି ଷ୍ଟୁଡିଓ ମୁମ୍ବାଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହା ଉପରେ ବୁଧବାର ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରି କଙ୍ଗନାଙ୍କ ‘ଏମର୍ଜେନ୍ସୀ’ କୁ ତୁରନ୍ତ ସାର୍ଟିଫିକେଟ ନଦେବାକୁ କେନ୍ଦ୍ରୀୟ ବୋର୍ଡ ଫିଲ୍ମ୍ ସାର୍ଟିଫିକେସନ୍(ସିବିଏଫସି)କୁ ବାରଣ କରିଛନ୍ତି। ଏହାସହିତ ସେପ୍ଟେମ୍ବର ୧୮ ସୁଦ୍ଧା ସିନେମାକୁ ନେଇ ଉଠିଥିବା ଆପତ୍ତି ଉପରେ ନିଷ୍ପତ୍ତି ନେବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି

ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ୍ ଏମର୍ଜେନ୍ସିରେ ଅତି ନିଖୁଣ ଭାବରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିଛନ୍ତି କଙ୍ଗନା। ଯାହା ଏହି ମାସ ୬ ତାରିଖରେ ସିନେମା ହଲକୁ ଆସିବାକୁ ଥିଲା। ହେଲେ ଏହାର ଟ୍ରେଲର ରିଲିଜ୍ ହେବା ପରଠୁ ଏହା ବିବାଦରେ ଫସିଛି। ଶିଖ ସଂଗଠନଗୁଡ଼ିକ ସିନେମାରେ ସେମାନଙ୍କୁ ଭୁଲ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ଚାରିଆଡୁ ଉଭୟ କଙ୍ଗନା ଓ ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମାରିଦେବା ଧମକ ଆସିଛି। ଯାହା ପରଠାରୁ ସିନେମାକୁ ସ୍ଥଗିତ ରଖାଯାଇଛି।

Comments are closed.