Latest Odisha News

BREAKING NEWS

ସିଫାରେ ଚତୁର୍ଥ ପିଏଏଫ କଂଗ୍ରେସ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ବହୁଦେଶୀୟ ଶିଳ୍ପ, ଘରୋଇ ଉଦ୍ୟମିତା ଏବଂ ମତ୍ସ୍ୟ ବିଶେଷଜ୍ଞମାନଙ୍କ ସହଯୋଗରେ ଭାରତରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଆସୋସିଏସନ ଅଫ ଆକ୍ୱାକଲଚରିଷ୍ଟ୍ସ, ଭବନେଶ୍ୱର ଓ ପିଲ୍ଲେ ଆକ୍ୱାକଲଚର ପ୍ରତିଷ୍ଠାନ, ଚେନ୍ନାଇ ସହିତ ମିଶି ଆଇସିଏଆର-ସିଫା ଏହାର ଭୁବନେଶ୍ୱର କ୍ୟାମ୍ପସରେ ନଭେମ୍ବର ୧୫-୧୭, ୨୦୧୯ରେ ଚତୁର୍ଥ ପିଏଏଫ କଂଗ୍ରେସ ଆୟୋଜନ କରିବେ ।

ଉଦଘାଟନୀ ସମାରୋହରେ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ପାଳନ ତଥା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଯୋଗ ଦେବେ । ମତ୍ସ୍ୟ ଚାଷ କ୍ଷେତ୍ରରେ ଅଂଶୀଦାରଙ୍କୁ ଏକାଠି କରିବା ତଥା ଏହି କ୍ଷେତ୍ରର ବିକାଶ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଏଜେନ୍ସି ମଧ୍ୟରେ ତାଳମେଳ ପ୍ରତିଷ୍ଠା ଲାଗି ଏହି କଂଗ୍ରେସରେ ଆଲୋଚନା ହେବ ।

ଯୋଗାଣ ଶୃଙ୍ଖଳରେ କାର୍ଯ୍ୟ କରୁଥିବା କର୍ପୋରେଟଗୁଡ଼ିକୁ ସାମିଲ କରାଯିବ ଏବଂ ବର୍ଦ୍ଧିତ ବଜାର ଓ ନିଯୁକ୍ତି ସୃଷ୍ଟି ଲାଗି ମତ୍ସ୍ୟ ଚାଷ ଉଦ୍ୟୋଗଗୁଡ଼ିକୁ ଉତ୍ସାହିତ କରାଯିବ । ଏହି କଂଗ୍ରେସରେ ବିଭିନ୍ନ ବହୁଦେଶୀୟ ଶିଳ୍ପ, ଘରୋଇ ଉଦ୍ୟୋଗ, ମତ୍ସ୍ୟ ବିଶେଷଜ୍ଞ, ଗବେଷକ, ମତ୍ସ୍ୟ ଚାଷ ସହ ଜଡ଼ିତ ଶ୍ରମିକ, ଘରୋଇ ସେବା ପ୍ରଦାନକାରୀ, ରାଜ୍ୟ ମତ୍ସ୍ୟ ବିଭାଗ ଓ ଅନ୍ୟାନ୍ୟ ଉନ୍ନୟନ ବିଭାଗ, ବେସରକାରୀ ଅନୁଷ୍ଠାନ ଏବଂ ଅନ୍ୟ ଅନୁଷ୍ଠାନର ପ୍ରାୟ ୩୦୦ ପ୍ରତିନିଧି ଯୋଗଦେବେ ।

ପରିବେଶର ସୁରକ୍ଷା ସହ ମତ୍ସ୍ୟଚାଷକୁ ଲାଭପ୍ରଦ କରିବା ପାଇଁ ଏକ ଫଳପ୍ରଦ ମୂଲ୍ୟ ଶୃଙ୍ଖଳ ଆଣିବା ଲାଗି ବିଭିନ୍ନ ବିଷୟରେ ମଧ୍ୟ ଏହି କଂଗ୍ରେସରେ ଆଲୋଚନା କରାଯିବ । ଏଠାରେ ଯେଉଁ ନୀତିର ସୁପାରିସ କରାଯିବ ତାହା ଯୋଜନା ପ୍ରଣୟନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କ ପାଇଁ ମାର୍ଗଦର୍ଶକ ହେବ । ଡିଏଆରଇ ସଚିବ ଓ ଆଇସିଏଆର ନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ଏବଂ ଆଇସିଏଆରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଇସିଏଆର-ସିଫା, ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ
ବିଆର ପିଲ୍ଲାଇ ସୂଚନା ଦେଇଛନ୍ତି ।

ଏଠାରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ଏକ ପ୍ରଦର୍ଶନୀର ଆୟୋଜନ କରାଯିବ ଯେଉଁଥିରେ ପାଖାପାଖି ୫୦ ଅଂଶୀଦାର ଭାଗ ନେବେ ଓ ମତ୍ସ୍ୟ ଚାଷୀଙ୍କ ଲାଭ ପାଇଁ ସେମାନଙ୍କ କାର୍ଯ୍ୟ ଏବଂ ସେବା ପ୍ରଦର୍ଶନ କରିବେ ।

Leave A Reply

Your email address will not be published.