Latest Odisha News

ବେଆଇନ ମସଜିଦକୁ ବିରୋଧ, ସିମଲାରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ସିମଲା: ସିମଲାରେ ଉତ୍ତେଜନା । ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଏକ ମସଜିଦ ବେଆଇନ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ କରି ଅସନ୍ତୁଷ୍ଟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରସଙ୍ଗରେ ତାତିଛି ରାଜନୀତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ମସଜିଦ ହଟାଇବାକୁ ଅଲଟିମେଟମ୍

ହିମାଚଳ ପ୍ରଦେଶ ରାଜଧାନୀ ସିମଲା ଉପଖଣ୍ଡ ସଞ୍ଜୌଲିରେ ନିର୍ମିତ ଏକ ମସଜିଦକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ମସଜିଦ ବେଆଇନ ଭାବେ ମୁଣ୍ଡ ଟେକିଛି । ଅବୈଧ ନିର୍ମାଣକୁ ଭାଙ୍ଗିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଏଥିସହ ବାହାର ରାଜ୍ୟରୁ ଆସୁଥିବା ମୁସଲିମ ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ବିକ୍ଷୋଭକାରୀଙ୍କ ମତରେ ବାହାରୁ ଆସୁଥିବା ସଂଖ୍ୟାଲଘୁଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହେବା ଆଶଙ୍କା ବଢିଛି । ବେଆଇନ ଭାବେ ନିର୍ମିତ ମସଜିଦ ନ ଭାଙ୍ଗିଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଲୋକେ । ଏଥିପାଇଁ ପ୍ରଶାସନକୁ ଅଲଟିମେଟମ ଦିଆଯାଇଛି । ବେଆଇନ ମସଜିଦ ବିରୋଧରେ ନଗର ନିଗମ କମିଶନରେ ଚାଲିଥିବା ମାମଲାର ଶୀଘ୍ର ଶୁଣାଣି ପାଇଁ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନିୟନ୍ତ୍ରଣ ପାଇଁ ଦାବି ହୋଇଛି । ବିନା ଭେରିଫିକସେନରେ ବାହାର ରାଜ୍ୟର ସଂଖ୍ୟାଲଘୁଙ୍କୁ ସିମଲାରେ ନୋ ଏଂଟ୍ରି ପାଇଁ ମଧ୍ୟ ଦାବି କରିଛନ୍ତି ବିକ୍ଷୋଭକାରୀ ।

ଏକ ହିନ୍ଦୁ ସଂଗଠନ ଆୟୋଜନ କରିଥିଲା ବିକ୍ଷୋଭ
ବେଆଇନ ମସଜିଦ ବିରୋଧରେ ଦେବଭୂମି କ୍ଷେତ୍ରୀୟ ସଂଗଠନର ବ୍ୟାନରରେ ଲୋକେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଜେପି କର୍ମୀମାନେ ମଧ୍ୟ ଭାଗ ନେଇଥିଲେ । ଅବୈଧ ମସଜିଦ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି ବୋଲି ସଂଗଠନ ଅଧ୍ୟକ୍ଷ ରୁମିତ ଠାକୁର କହିଛନ୍ତି । ହିମାଚଳ ପ୍ରଦେଶରେ ଅନେକ ସ୍ଥାନରେ ବେଆଇନ ଭାବେ ମସଜିଦ ନିର୍ମାଣ ବୃଦ୍ଧି ପାଉଛି । ଏହି ଅବୈଧ ନିର୍ମାଣ ପାଇଁ ଅର୍ଥ କୁଆଡୁ ଆସୁଛି ବୋଲି ପ୍ରଶ୍ନ ହୋଇଛି ।

ହିମାଚଳ ବିଧାନସଭାରେ ସରଗରମ ଚର୍ଚ୍ଚା
ସଞ୍ଜୌଲିରେ ବେଆଇନ ମସଜିଦ ନିର୍ମାଣ ପ୍ରସଙ୍ଗ ବିଧାନସଭାରେ ବି ଉଠିଛି । ଏ ପ୍ରସଙ୍ଗରେ ହୋଇଛି ସରଗରମ ଆଲୋଚନା । ସୁଖବିନ୍ଦର ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରର କ୍ୟାବିନେଟ ମନ୍ତ୍ରୀ ଅନିରୁଦ୍ଧ ସିଂହ ଏ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ପ୍ରଥମେ ରାଜ୍ୟରେ ଏଭଳି ଘଟଣା ଘଟୁନଥିଲା । ଏବେ କାହିଁକି ଏସବୁ ଦେଖିବାକୁ ମିଳୁଛି ବୋଲି ମନ୍ତ୍ରୀ ଗୃହରେ କହିଥିଲେ । ହିମାଚଳକୁ ନୂଆ ନୂଆ ଲୋକ ଆସୁଛନ୍ତି । ସେମାନେ ଜମାତ ବା ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀ ହୋଇପାରନ୍ତି ବୋଲି ଗୃହରେ ଚର୍ଚ୍ଚା ବେଳେ କହିଥିଲେ ମନ୍ତ୍ରୀ । ସେ ନିଜେ ମଧ୍ୟ କିଛି ଲୋକଙ୍କୁ ଜାଣିଛନ୍ତି, ଯେଉଁମାନେ କି ବାଂଲାଦେଶରୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ନାଁରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

Comments are closed.