Latest Odisha News

BREAKING NEWS

କଥାରେ କୋଣାର୍କ ମନ୍ଦିର ହୁଏ ନାହିଁ, ସେଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର: ନବୀନ

ଭୁବନେଶ୍ଵର: ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ପ୍ରଶ୍ନ । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି ନବୀନ ଲେଖିଛନ୍ତି ଯେ,ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି।

ନବୀନ ଲେଖିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କଥାରେ କୋଣାର୍କ ମନ୍ଦିର ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ଏତେ ସହଜ ନୁହେଁ। ସେଥିପାଇଁ ଅନେକ ତ୍ୟାଗ ଓ ତପସ୍ୟା ଦରକାର । ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। କିନ୍ତୁ ସେମାନେ ମନେ ରଖିବା ଉଚିତ ଯେ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।

Comments are closed.