Latest Odisha News

BREAKING NEWS

ଶୁଣନ୍ତୁ ଆମ ଗୁହାରୀ

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ଟେବୁଲକୁ ତ ଗଲେ ନାହିଁ । କାର୍ଯ୍ୟରେ ଯୋଗ ଦେବା ପାଇଁ ମମତାଙ୍କ ଅପିଲ୍ ବି ପ୍ରଭାବ ପକାଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ମମତାଙ୍କ ପ୍ରସ୍ତାବ ମଧ୍ୟ ବିକ୍ଷୋଭକାରୀ ଜୁନିଅର ଡାକ୍ତରମାନଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଆରଜି କର ଘଟଣା ପ୍ରତିବାଦରେ ଜାରି ରଖିଛନ୍ତି ଆନ୍ଦୋଳନ । ଏବେ ଜୁନିଅର ଡାକ୍ତରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ମାମଲାରେ ହସ୍ତକ୍ଷେପ କରିବାକୁ କରିଛନ୍ତି ଗୁହାରୀ ।

ଅନ୍ଧାରରୁ ମୁକ୍ତି ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ
ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିଅର ଡାକ୍ତରମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୁହାରୀ । ଆରଜି କର ହସପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜୁନିଅର ଡାକ୍ତର । ନ୍ୟାୟ ପାଇଁ କରିଛନ୍ତି ନିବେଦନ । ଆରଜି କର ହସପିଟାଲ ହରର ବିରୋଧରେ ଜୁନିଅର ଡାକ୍ତରମାନେ ଲଗାତର ୩୬ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚାରିପୃଷ୍ଠାର ଚିଠିରେ ଜୁନିଅର ଡାକ୍ତରମାନେ ଲେଖିଛନ୍ତି ଯେ, ଆପଣ ଦେଶର ମୁଖିଆ । ତେଣୁ ଏହି ମାମଲା ଆପଣଙ୍କ ଆଗରେ ରଖୁଛୁ । ଆମେ ଆମ ସହଯୋଗୀଙ୍କ ପାଇଁ ନ୍ୟାୟ ଚାହୁଁଛୁ, ଯିଏ କି ଅତି ଘୃଣ୍ୟ ଅପରାଧର ଶୀକାର ହୋଇଛନ୍ତି । ଏହି ଘଟଣା ପରେ ହେଲଥକେୟାର ପ୍ରଫେସନାଲମାନେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ବିନା ଭୟରେ କାମ କରିବା ଆଶଙ୍କା ସୃଷ୍ଟି ହୋଇଛି । ଏହି କଠିନ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମ ସମସ୍ତଙ୍କୁ ଆଲୋକର କିରଣ ସଦୃଶ ହେବ ବୋଲି ଜୁନିଅର ଡାକ୍ତରମାନେ ଚିଠିରେ ଉଲ୍ଲେଖ କରିଛନ୍ତିା ଆପଣ ହିଁ ଆମକୁ ଚାରିଦିଗରୁ ଘେରି ରହିଥିବା ଅନ୍ଧାରରୁ ବାହାରକୁ ରାସ୍ତ ଦେଖାଇପାରିବେ । ଜୁନିଅର ଡାକ୍ତରମାନେ ଗୁରୁବାର ରାତିରେ ଚିଠି ପଠାଇଥିଲେ । ଚିଠିର କପି ଉପରାଷ୍ଟ୍ରପତି ଜଗଦୀନ ଧନଖଡ ଓ ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ମଧ୍ୟ ପଠାଯାଇଛି । ଶୁକ୍ରବାର ଦିନ ସାମନାକୁ ଆସିଥିଲା ଡାକ୍ତରଙ୍କ ଚିଠି ।

କ’ଣ ରହିଛି ଜୁନିଅର ଡାକ୍ତରଙ୍କ ଦାବି ?

ବିକ୍ଷୋଭକାରୀ ଡାକ୍ତରମାନେ ସ୍ୱାସ୍ଥ୍ୟ ବିଭାଗର ତିନି ଉଚ୍ଚପଦସ୍ଥ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି । ଆରଜି କର ହସପିଟାଲର ସେମିନାର ହଲ୍ ର ଅପରାଧ ସ୍ଥଳ ନିକଟରେ ଭଙ୍ଗାରୁଜା ଓ ନବୀକରଣ ଅନୁମତି ସଂପର୍କିତ ଏକ ପତ୍ରରେ ଦସ୍ତଖତ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯାଉଛି । କୋଲକାତା ପୋଲିସ କମିସନର ବିନୀତ ଗୋୟଲଙ୍କ ଇସ୍ତଫା ବି ଦାବି କରିଛନ୍ତି ଜୁନିଅର ଡାକ୍ତର । ସୁପ୍ରିମକୋର୍ଟ ଜୁନିଅର ଡାକ୍ତରମାନଙ୍କୁ ଗତ ମଙ୍ଗଳବାର ସଂଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନିନାହାନ୍ତି ଜୁନିଅର ଡାକ୍ତର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ଦିନ ତଳେ ଜୁନିଅର ଡାକ୍ତରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । କିନ୍ତୁ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ସର୍ତ୍ତ ପୂରଣ କରିନଥିବାରୁ ଜୁନିଅର ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିନଥିଲେ । ଦୁଇ ଘଂଟା କାଳ ଅପେକ୍ଷା କରିଥିଲେ ମମତା । କିନ୍ତୁ ଡାକ୍ତରମାନେ ଆଲୋଚନା ଟେବୁଲକୁ ଗଲେ ନାହିଁ । ଏହା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାର ପ୍ରଭାବ ଜୁନିଅର ଡାକ୍ତରମାନଙ୍କ ଉପରେ ପଡିନାହିଁ ।

ରୋଗୀ ସେବା ବାଧାପ୍ରାପ୍ତ, ୨୯ ରୋଗୀଙ୍କ ମୃତ୍ୟୁ

ଆରଜି କର ହସପିଟାଲର ଜୁନିଅର ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଓପିଡି କାମ କରୁନାହିଁ । ଡାକ୍ତରଙ୍କ ବିକ୍ଷୋଭ କାମବନ୍ଦ ଆନ୍ଦୋଳନ ଯୋଗୁଁ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀଙ୍କ ସଂପର୍କୀୟ ମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଣେ ଏହି ସମଗ୍ର ଘଟଣାରେ ରାଜନୀତି ଆହୁରି ଜୋରଦାର ହେଉଛି ।

Comments are closed.