Latest Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି, ଶ୍ରୀନଅରରେ ମହାରାଜଙ୍କ ସୁନିଆ ଉତ୍ସବ

ପୁରୀ: ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ପଇତା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ବିଧି ଅନୁଷ୍ଠିତ ହେବ। ବାମନ ଜନ୍ମନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ସନ୍ଧ୍ୟାରେ ଶ୍ରୀନଅରରେ ପାଳିତ ହେବ ସୁନିଆ ଉତ୍ସବ । ମହାପ୍ରଭୁବଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ନୂଆ ସାଲ ଓ ଅଙ୍କର ପ୍ରବେଶ ହେବ । ଚଳିତବର୍ଷ ମହାରାଜ ଗଜପତିଙ୍କ ୬୮ ଅଙ୍କ ୧୪୩୨ ସାଲ ପ୍ରବେଶ ହେବ । ଏହି ଉତ୍ସବରେ ପାଞ୍ଜି ଓ ଜାତକ ଗଣନା ହେବ । ଏହା ପରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜା କରାଯିବ । ଦେବାଚର୍ଚ୍ଚନା ଓ ମଙ୍ଗଳା ପର୍ବ ପରେ ଶ୍ରୀନହରରରେ ସୁନିଆଁର ବି ବିଶେଷ ପର୍ବ ଆରମ୍ଭ ହେବ । ଏହି ପୂଜା ଗଜପତି ମାହାରାଜ କରିବେ । ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ ।

ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ରାଜନଅରରେ ପାଳନ କରାଯିବ ସୁନିଆଁ ନୀତି । ସେଥିପାଇଁ ଉତ୍ସବମୁଖର ହୋଇ ଉଠିବ ରାଜପ୍ରସାଦ । ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ପ୍ରଦାନ କରିବେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ ଧାମରେ ଶ୍ରୀନହର ରେ ପାଳନ କରାଯିବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ଏହି ସୁନିଆଁ ପର୍ବ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ । ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା । ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ବିଜେ କରିବେ। ସେଠାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ।ପଞ୍ଚଦେବ ଙ୍କୁ ପୂଜା ସହ ମଙ୍ଗଳାର୍ପଣ କରାଯିବ। ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହେବେ ଏହାପରେ ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତହେବ। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିବ। ପାରିଷଦ ବର୍ଗ ଏହିଅବସରରେ ଗଜପତି ମହାରାଜ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ପ୍ରଦାନ କରିବେ। ସେମାନେ ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା ଜଣାଇବେ।

ସେହିପରି ଶ୍ରୀମନ୍ଦିରରେ ଆଜି ପାଳନ କରାଯିବ ଶ୍ରୀକୃଷ୍ଣଙ୍କ ବାମନ ନୀତି । ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ନୀତି ପରେ ଟେରା ପଡ଼ି ଜୟ-ବିଜୟ ଦ୍ବାର ବନ୍ଦ କରାଯିବ। ଏହାପରେ ଭିତର କାଠ ପାଖରେ ମୁରୁଜରେ ମଣ୍ଡଳ କଟାଯିବ । ମୁଦିରସ୍ତ ଧଣ୍ଡିପ୍ରସାଦ ଲାଗି କଲା ପରେ ବାମନ ମଣ୍ଡଳକୁ ବିଜେ କରିବେ। ବଣିଆ ସେବକ ଦେଇଥିବା ସୁନା ବାମନ ପ୍ରତିମାଙ୍କ ନିକଟରେ ବରୁଣ ପୂଜା, ବ୍ରହ୍ମବରଣ ନୀତି ଅନୁଷ୍ଠିତ ହେବା ପରେ ଖଣ୍ଡୁଆ ଯୋଡ଼ାଯାଇ ଜନ୍ମବିଧି ଅନୁଷ୍ଠିତ ହେବ। ଏହା ପରେ କ୍ଷୀର, ସର, ଲହୁଣୀ ଭୋଗ ହୋଇ ସୋମନାଥ ମାଜଣା ମଣ୍ଡପ ଖଟକୁ ବିଜେ କରିବେ। ପରେ ପତି ମହାପାତ୍ର ରୁପା ବଟାରେ ଶ୍ରୀଦୁର୍ଗା ଦେବୀଙ୍କୁ ସୋମନାଥ ମଣ୍ଡପରେ ବିଜେ କରାଇବେ। ଏଠାରେ ବସୁଧାରା ଓ ଯଜ୍ଞ ବିଧି ପରେ ଶୀତଳ ଭୋଗ, ବନ୍ଦାପନା ହୋଇ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ ।

Comments are closed.