Latest Odisha News

ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ସହିତ ଦିଲ୍ଲୀରେ ମଧ୍ୟ ନିର୍ବାଚନ ହେଉ: ମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ଯାହା ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ଯଦି କେଜ୍ରିୱାଲ ସତରେ ଇସ୍ତଫା ଦିଅନ୍ତି ତେବେ ଦିଲ୍ଲୀର ଶାସନ ଭାର କାହା ହାତରେ ରହିବ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସିଏମ୍ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ଅନେକ ନାମ ଆସୁଛି । ଆଉ ସେହି ନାଁ ଭିତରେ ମନ୍ତ୍ରୀ ଆତିଶୀ ନାଁ ମଧ୍ୟ ରହୁଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ, ଆମ ଦଳୀୟ କର୍ମୀଙ୍କ ଭିତରେ ଏକ ବୈଠକ ହେବ । ସେହି ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ନିଆଯିବ । ଆମେ ଚାହୁଁଛୁ ଯେ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ସହିତ ଦିଲ୍ଲୀରେ ମଧ୍ୟ ନିର୍ବାଚନ ହେଉ। କୋର୍ଟ ତ ନିଜର ନିଷ୍ପତି ଶୁଣାଇ ସାରିଛନ୍ତି । ଏବେ ଆମେ ଜନସାଧାରଣଙ୍କ ନିଷ୍ପତ୍ତି ଚାହୁଁଛୁ ।

ସେହିଭଳି ଦିଲ୍ଲୀ ବିଧାନସଭା ଭଙ୍ଗକୁ ନେଇ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ଆମେ ୨୦୧୩ ରେ ଥରେ ବିଧାନସଭାକୁ ଭଙ୍ଗ କରିଥିଲୁ କିନ୍ତୁ ସେତେବେଳେ ସେମାନେ ନିର୍ବାଚନ କଲେନାହିଁ । କେତେବେଳେ ନିର୍ବାଚନ ହେବ ସେ ନିଷ୍ପତି ତ କେନ୍ଦ୍ର ସରକାର ନେବେ । ବିଧାନସଭା ଭଙ୍ଗ ହେବାର ୬ ମାସ ମଧ୍ୟରେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ଯେ କୌଣସି ସମୟରେ ମଧ୍ୟ ନିର୍ବାଚନ କରିପାରିବେ। କିନ୍ତୁ ଆମର ଦାବୀ ଯେ, ଆସନ୍ତା ନଭେମ୍ବରରେ ନିର୍ବାଚନ ହେଉ ।

Comments are closed.