Latest Odisha News

BREAKING NEWS

ଆଜିଠୁ ‘ପିତୃପକ୍ଷ’: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୁରୀରେ ପିଣ୍ଡଦାନ

ପୁରୀ: ଆଜି ଆଶ୍ଵିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ପିତୃପକ୍ଷର ଆରମ୍ଭ । ଏହି ଅବସରରେ ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ତିଳତର୍ପଣ ଓ ପିଣ୍ଡଦାନ କାର୍ଯ୍ୟ। ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଏହି ପିତୃପକ୍ଷ ପାଳନ ହୋଇଥାଏ । ଆଜି ଏନେଇ ବିଭିନ୍ନ ତୀର୍ଥ ପୁଷ୍କରିଣୀ,  ମହୋଦଧି ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଶ୍ରଦ୍ଧାଳୁମାନେ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଛନ୍ତି।

ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ୧୫ ଦିନ ଯାଏଁ ପିତୃପକ୍ଷ ପାଳନ କରାଯାଏ। ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡଦାନ କରାଯାଏ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ହେଉଛି ଶ୍ରେଷ୍ଠତମ।

ତେଣୁ ଆଜିଠୁ ୧୫ ଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ଏହି ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ । ତେବେ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ ଓ ତିଳତର୍ପଣ କରୁଥିବା ବେଳେ ଏବେ କିଛିବର୍ଷ ହେବ ପ୍ରଶାସନ ଏହା ଉପରେ ରୋକ ଲଗାଇଛି। ଫଳରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ମେଘନାଦ ପାଚେରୀ ନିକଟରେ ବସି ତିଳତର୍ପଣ ଓ ପିଣ୍ଡଦାନ କରିଆସୁଛନ୍ତି । ଅନ୍ୟପଟେ ପୁରୀରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ମଧ୍ୟ ତିଳତର୍ପଣର ବ୍ୟବସ୍ଥା ରହିଛି ।

Comments are closed.