Latest Odisha News

BREAKING NEWS

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଅସନ୍ତୋଷ ଝାଡିଲେ ବିରୋଧୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଯେଉଁଭଳି ଭାବେ ନିର୍ଯାତନ ଦିଆଗଲା ତାହାର ଛାତିଥରା କାହାଣୀ ନିଜେ ସେନା ଅଧିକାରୀଙ୍କ ବାନ୍ଧବୀ ଗୁରୁବାର ଗଣମାଧ୍ୟମ ଆଗରେ କୋହ ଭରା କଣ୍ଠରେ କହିବା ପରେ ଏବେ ଏହାକୁ ନେଇ ଅପରାଧିକ ମାମଲା ରୁଜ୍ଜୁ କରିଛି କ୍ରାଇମବାଞ୍ଚ । କ୍ରାଇମବାଞ୍ଚର ପଦକ୍ଷେପ ପରେ ପରେ ଏହାକୁ ନେଇ ଜୋର ଦାର ଅସନ୍ତୋଷ ଝାଡିଛନ୍ତି ବିରୋଧୀ ଦଳ ।

ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ପୋଲିସ ଥାନା ଅଧିକରୀମାନେ ଯେଉଁଭଳି ଭାବେ ବ୍ୟବହାର କରିଛନ୍ତି ତାହା ଦୁର୍ଭାଗ୍ୟଜନକ ଏବଂ ବର୍ଣ୍ଣନା ବାହାରେ ବୋଲି ସେ କହିଛନ୍ତି । ପୋଲିସର ଏପରି ବ୍ୟବହାର ଦେଶର ବିବେକକୁ କୁଠାରଘାତ କରିଛି ।  ଏଥିସହିତ ଏହି ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦାବିରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆହୁରି ମଧ୍ୟ ନୂଆ ସରକାରଙ୍କୁ ଶହେ ଦିନ ପୂରିଥିଲେ ମଧ୍ୟ ସେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରଶାସନିକ ପଦକ୍ଷେପକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପୂର୍ବତନ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଜଣେ ବାପା ହିସାବରେ ମୁଁ ଦୁଃଖିତ ବୋଲି କହିଛନ୍ତି ବିଜୟ । ପୋଲିସକୁ ଜଣେ ଝିଅ ଉପରକୁ ହାତ ଉଠାଇବାର ଅଧିକାର କିଏ ଦେଲା? ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଓଡିଶା ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପାଟ୍ରୋଲିଂ ପାଇଁ ଯଦି ପୋଲିସ୍ ଅଧିକାରୀ ନାହାନ୍ତି ତାହାଲେ ସରକାର କରୁଛନ୍ତି କ’ଣ? ଏହି ଘଟଣାରେ ଏପର୍ଯ୍ୟନ୍ତ କାହିଁକି ଭରତପୁର ଥାନା ଆଇଆଇସିଙ୍କ ସମେତ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇନାହିଁ ? ବିଭିନ୍ନ ଯୋଜନାରେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର, ହେଲେ ଲୋକଙ୍କ ସୁରକ୍ଷା ପାଇଁ କାହିଁକି ଖର୍ଚ୍ଚ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଏହି ଘଟଣାରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ବିଜୟ ।

 

Leave A Reply

Your email address will not be published.