Latest Odisha News

ଚେନ୍ନାଇରେ ଚମକିଲେ ଅଶ୍ୱିନ ଆନ୍ନା

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ୨୮୦ ରନରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଚତୁର୍ଥ ଦିନରେ ହିଁ ବାଂଲାଦେଶକୁ ମାତ୍ ଦେଇ ସିରିଜ ଆଗୁଆ ରହିଛି ଭାରତୀୟ ଦଳ । ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ମଧ୍ୟ ସ୍ଥିତି ଦୃଢ କରିଛି ଭାରତ । ଚେନ୍ନାଇରେ ଟିମ୍ ଇଣ୍ଡିଆର ବିଜୟର ହୀରୋ ଥିଲେ ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱିନ । ଅଲରାଉଣ୍ଡ ସାଫଲ୍ୟ ସହ ଭାରତକୁ ଦମଦାର ବିଜୟ ଦେଇ ସହ ଅନେକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଶ୍ୱିନ ।
ହୋମ ଗ୍ରାଉଣ୍ଡରେ ଦମ୍ ଦେଖାଇଲେ ଆନ୍ନା
ଚିପକ ଗ୍ରାଉଣ୍ଡରେ ଲୋକାଲ ବୟ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛି ଭାରତ । ଅଶ୍ୱିନ ବ୍ୟାଟ୍ ଓ ବଲରେ ଐତିହାସିକ ପ୍ରଦର୍ଶନ କରି ଚେନ୍ନାଇ ଟେଷ୍ଟକୁ ନିଜ ପାଇଁ ଓ ଭାରତୀୟ ଦଳ ପାଇଁ ସ୍ମରଣୀୟ କରିଛନ୍ତି । ପ୍ରଥମେ ଏକ ଲଢୁଆ ଶତକୀୟ ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ପ୍ରଥମ ଇନିଂସରେ ମଜବୁତ ସ୍ଥିତିକୁ ଆଣିଥିଲେ ଅଶ୍ୱିନ । ୧୪୪ ରନରେ ୬ ୱିକେଟ ହରାଇ ସଂକଟରେ ପଡିଥିବା ବେଳେ ଅଶ୍ୱିନ, ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ । ବାଂଲାଦେଶର ପ୍ରଥମ ଇନିଂସରେ ଅଶ୍ୱିନଙ୍କୁ ୱିକେଟ ମିଳି ନଥିଲା । ହେଲେ ବାଂଲାଦେଶର ଦ୍ୱିତୀୟ ଇନିଂସ ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ସର୍ବାଧିକ ୬ଟି ୱିକେଟ ନେବା ସହ ଭାରତର ସହଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୋଧହୁଏ ନିଜ ହୋମଗ୍ରାଉଣ୍ଡରେ ଅଶ୍ୱିନ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଆଉ ବେଶ୍ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ମ୍ୟାଚରେ ଅଲରାଉଣ୍ଡ ସାଫଲ୍ୟ ପାଇଁ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି ଅଶ୍ୱିନ ।

ଚେନ୍ନାଇ ଟେଷ୍ଟରେ ଅଶ୍ୱିନ ଆନ୍ନାଙ୍କ ରେକର୍ଡ

୩୮ ବର୍ଷ ବୟସ ପରେ ଗୋଟିଏ ଟେଷ୍ଟରେ ଶତକ ଓ ୫ କିମ୍ବା ଅଧିକ ୱିକେଟ ନେବାରେ ଅଶ୍ୱିନ ହେଉଛନ୍ତି ବୟସ୍କ ଭାରତୀୟ କ୍ରିକେଟର । ପୂର୍ବରୁ ଏହି ରେକର୍ଡ ଭିନୁ ମଙ୍କଡଙ୍କ ନାଁରେ ଥିଲା ।

ଚେନ୍ନାଇ ଟେଷ୍ଟର ଚତୁର୍ଥ ଇନିଂସରେ ଅଶ୍ୱିନ ୬ଟି ୱିକେଟ ନେବା ପରେ ଆନ୍ତର୍ଜାତିକ କ୍ରିକେଟରେ ତାଙ୍କର ମୋଟ ୱିକେଟ ସଂଖ୍ୟା ୭୫୦ରେ ପହଂଚିଛି । ଚତୁର୍ଥ ସ୍ପିନର ଭାବେ ଅଶ୍ୱିନ ୭୫୦ ଆନ୍ତର୍ଜାତିକ ୱିକେଟ ହାସଲ କରିଛନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ମୁରଲୀଧରନ, ଦ୍ୱିତୀୟରେ ସେନ୍ ୱାର୍ଣ୍ଣ ଓ ତୃତୀରେ ଅନୀଲ କୁମ୍ବଲେ ଅଛନ୍ତି । ସର୍ବାଧିକ ଟେଷ୍ଟ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ଅଶ୍ୱିନ କୋର୍ଟନୀ ୱାଲ୍ସଙ୍କୁ ଟପି ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।
ଅଶ୍ୱିନ ଟେଷ୍ଟ ମ୍ୟାଚରେ ୩୭ ଥର ପାଇଁ ଗୋଟିଏ ଇନିଂସରେ ୫ ବା ଅଧିକ ୱିକେଟ ନେଇଛନ୍ତି । ଏହି ତାଲିକାରେ ସେନ ୱାର୍ଣ୍ଣଙ୍କ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଶ୍ୱିନ । ମୁରଲୀଧରନ ସର୍ବାଧିକ ୬୭ ଥର ଗୋଟିଏ ଇନିଂସରେ ୫ କିମ୍ବା ଅଧିକ ୱିକେଟ ହାସଲ କରିଛନ୍ତି ।
ଗୋଟିଏ ଭେନ୍ୟୁରେ ଦୁଇ ଦୁଇ ଥର ଶତକ ହାସଲ କରିବା ସହ ୫ ୱିକେଟ ନେବାରେ ଅଶ୍ୱିନ ପ୍ରଥମ ଟେଷ୍ଟ ଖେଳାଳି ହୋଇଛନ୍ତି । ପୂର୍ବରୁ ୨୦୨୧ ମସିହା ସେହି ଚେନ୍ନାଇରେ ହିଁ ଅଶ୍ୱିନ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିବା ସହ ୫ ୱିକେଟ ନେଇଥିଲେ ।

ଚତୁର୍ଥ ଥର ପାଇଁ ରବି ଅଶ୍ୱିନ ଗୋଟିଏ ଟେଷ୍ଟରେ ଶତକ ହାସଲ ସହ ୫ ୱିକେଟ ନେଇଛନ୍ତି । ଇଂଲଣ୍ଡର ପୂର୍ବତନ କ୍ରିକେଟର ଇଆନ ବୋଥାମ ସର୍ବାଧିକ ୫ ଥର ଗୋଟିଏ ଟେଷ୍ଟରେ ଶତକ ଓ ୫ ୱିକେଟ ନେଇ ଅଶ୍ୱିନଙ୍କଠାରୁ ଆଗରେ ଅଛନ୍ତି ।

Leave A Reply

Your email address will not be published.