Latest Odisha News

BREAKING NEWS

ମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦେଲେ ପରାମର୍ଶ । ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ସହ ଚିହ୍ନଟ ଓ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ସଚିବ । ସେହିପରି ସଂକ୍ରମିତଙ୍କଠୁ ଅନ୍ୟମାନଙ୍କୁ ସଂକ୍ରମଣ ନ ବ୍ୟାପିବାର ବ୍ୟବସ୍ଥା କରନ୍ତୁ ଏବଂ ପଜିଟିଭ ଚିହ୍ନଟ ହେଲେ କ୍ଲେଡ୍‌ ଜାଣିବାକୁ ଜିନମ ସିକୁଏନ୍ସିଂ ପାଇଁ ପଠାନ୍ତୁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।

ଦେଶରେ ମଙ୍କିପକ୍ସ ଆତଙ୍କ ଖେଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ବିମାନବନ୍ଦରକୁ ସତର୍କ ରହିବାକୁ କୁହାଯାଇଛି । ଏହା ସହିତ ବାଂଲାଦେଶ ଏବଂ ପାକିସ୍ତାନ ସୀମାରେ ତଦାରଖ ବୃଦ୍ଧି ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଆଫ୍ରିକା ବାହାରେ ସ୍ୱିଡେନ ଏବଂ ପାକିସ୍ତାନରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ରିପୋର୍ଟ କରିଥିବାବେଳେ ଭାରତରେ ମଙ୍କିପକ୍ସର କୌଣସି ମାମଲା‌ ରିପୋର୍ଟ ହୋଇନାହିଁ। ତେବେ ସତର୍କତାମୂଳକ ପଦକ୍ଷେପ ଭାବରେ ବାଂଲାଦେଶ ଏବଂ ପାକିସ୍ଥାନ ସୀମାରେ ଥିବା ବନ୍ଦରର ଅଧିକାରୀ ତଥା ସମସ୍ତ ବିମାନବନ୍ଦରକୁ ସତର୍କ ରହିବାକୁ କେନ୍ଦ୍ର କହିଛି ।

ସେହିପରି ଓଡିଶାରେ ମଙ୍କିପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି। ମଙ୍କିପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ତେବେ ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆନ୍ତର୍ଜାତୀୟ ସ୍ତରରେ ଏକ ଜରୁରୀକାଳୀନ/ ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ହେତୁ ଭାରତ ସରକାର ସମସ୍ତ ରାଜ୍ୟକୁ ଏ ସଂପର୍କରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।

 

Comments are closed.