Latest Odisha News

ଜୀବନ ନଉଛି କଳା ଯାଦୁ: ଜାଣନ୍ତୁ କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କେବଳ ଆଜି ନୁହେଁ କାହିଁ କେତେ ଦିନରୁ ଦୁନିଆରେ ଗୁଣି ଗାରେଡି ବା କଳା ଯାଦୁ ପରି କାର୍ଯ୍ୟ ଦେଖିବାକୁ ମିଳୁଛି l ଆମ ଇତିହାସରେ ମଧ୍ୟ, ଏପରି ଅନେକ ଘଟଣା ରହିଛି ଯେଉଁଥିରେ ଏହି କଳା ଯାଦୁ ବିଷୟରେ ଉଲ୍ଲେଖ ରହିଛି l ତେବେ ବିଜ୍ଞାନ ଆଉ ଜ୍ଞାନର ଅଗ୍ରଗତି ପରେ ଅଧିକାଂଶ ସ୍ଥାନରେ ଏହାକୁ ଅନ୍ଧ ବିଶ୍ୱାସ କୁହାଯାଉଥିବା ବେଳେ ଏବେବି ଅନେକ କିଛି ଏପରି ସ୍ଥାନ ଅଛି ଯେଉଁଠାରେ ଲୋକେ ଏହାକୁ ବିଶ୍ୱାସ କରିଥାନ୍ତି l ଏପରିକି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଡାକ୍ତର ପାଖକୁ ନ ଯାଇ ଗୁଣିଆଙ୍କ ପାଖକୁ ଯାଇଥାନ୍ତି l ଅନେକ ସମୟରେ ଏପରି କରି ଅନେକ ଲୋକ ଜୀବନ ମଧ୍ୟ ହରାନ୍ତି l ଯାହା ଏବେ ଚିନ୍ତାର କାରଣ ପାଲଟିଛି l ବାସ୍ତବରେ, ନିକଟରେ ହାଥରସ୍, ୟୁପିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଗୁଣି ଗାରେଡିରେ ବଶବର୍ତ୍ତୀ ହୋଇ ଜଣେ 11 ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ଆସନ୍ତୁ ଜାଣିବା ଏନେଇ କଣ କହୁଛି ରିପୋର୍ଟ l

ଡିଡବ୍ଲ୍ୟୁର ଏକ ରିପୋର୍ଟ ଅନୁଯାୟୀ, ଗତ ସେପ୍ଟେମ୍ବରରେ,ହାଥରସର ଡିଏଲ୍ ପବ୍ଲିକ୍ ସ୍କୁଲରେ ଉକ୍ତ ସ୍କୁଲର ମ୍ୟାନେଜରଙ୍କ କାରରୁ ଜଣେ 11 ବର୍ଷୀୟ ଶିଶୁର ମୃତଦେହ ମିଳିଥିଲା। ଶିଶୁ ହତ୍ୟା ଅଭିଯୋଗରେ ପୋଲିସ ସ୍କୁଲ ମ୍ୟାନେଜର ଦୀନେଶ ବାଗେଲ ଏବଂ ତାଙ୍କ ପିତା ଯଶୋଦାନଙ୍କ ସମେତ 5 ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ଏବେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ l କୁହାଯାଉଛି ଯେ ସ୍କୁଲ ମ୍ୟାନେଜର ଦୀନେଶ ବାଗେଲଙ୍କ ପିତା ଯଶୋଦାନା ତାନ୍ତ୍ରିକ କାର୍ଯ୍ୟର ଅଭ୍ୟାସ କରୁଥିଲେ ଏବଂ ସେ ବିଦ୍ୟାଳୟର ଉନ୍ନତି ଏବଂ ଋଣ ମୁକ୍ତ ହେବ ପାଇଁ ଶିଶୁଟିକୁ ବଳି ଦେଇଥିଲେ l

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟ ଅନୁଯାୟୀ, 2022 ମସିହାରେ ଦେଶରେ ମୋଟ 8 ଟି ନରବଳି ମାମଲା ରୁଜୁ ହୋଇଥିଲା। ତେବେ ଯଦି ଆମେ 2014 ରୁ 2022 ପର୍ଯ୍ୟନ୍ତର ଆକଳନକୁ ଦେଖିବା, ତେବେ ଏହି ନରବଳି ସଂଖ୍ୟା ଏବେ 111ରେ ପହଂଚିଛି l ସେପଟେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଗୁଣିଗାରେଡି ସନ୍ଦେହରେ ଲୋକଙ୍କୁ ହତ୍ୟା କରାଯାଇଛି l ରିପୋର୍ଟ ଅନୁସାରେ, 2021 ମସିହାରେ 68 ଜଣ ଲୋକଙ୍କ ଜୀବନ ଏହି ଗୁଣିଗାରେଡି କାରଣରୁ ଯାଇଥିବା ବେଳେ 2022ରେ 85 ଲୋକଙ୍କ ଜୀବନ ଯାଇଛି l ରିପୋର୍ଟର ତଥ୍ୟ ଅନୁଯାୟୀ, 2013 ରୁ 2022 ପର୍ଯ୍ୟନ୍ତ ଏହି କାରଣରୁ ମୋଟ 1064 ଲୋକ ପ୍ରାଣ ହରାଇଛନ୍ତି l ଏହି ମାମଲାଗୁଡ଼ିକ ମଧ୍ୟରେ ସର୍ବାଧିକ ରହିଛି ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ମାମଲା l ତେବେ ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ଭଳି ରାଜ୍ୟରେ ଏହି ମାମଲା ବେଶୀ ଦେଖିବାକୁ ମିଳିଛି l

Leave A Reply

Your email address will not be published.