Latest Odisha News

ରାହୁଲଙ୍କ ରୋକଠୋକ୍: ଦଳକୁ ହରାଇଦେଲେ ସ୍ୱାର୍ଥପର ନେତା 

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । ସରକାର ବିରୋଧୀ ହାୱା ସତ୍ତ୍ୱେ ବିଜେପି କିପରି ବାଜି ମାରିନେଲା, ସେ ନେଇ କଂଗ୍ରେସ ଶିବିର ହତଚକିତ । ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଛି ଦଳ । ଏସବୁ ମଧ୍ୟରେ ହରିୟାଣା ପରାଜୟର ସମୀକ୍ଷା କରିଛି କଂଗ୍ରେସ ।

 

ହରିୟାଣା ପରାଜୟର କାରଣ ଖୋଜା

ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ହଟଚମଟ । ଆରମ୍ଭ ହୋଇଛି ଅପ୍ରତ୍ୟାଶିତ ପରାଜୟର କାରଣ ଖୋଜା । ପରାଜୟ ପରେ କଂଗ୍ରେସର ଶୀର୍ଷ ନେତୃତ୍ୱ ହରିୟାଣାର ଦଳୀୟ ନେତାଙ୍କ ସହ କରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ହରିୟାଣା କଂଗ୍ରେସ ସଭାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହୋଇଥିଲା ସମୀକ୍ଷା ବୈଠକ । ସୂତ୍ର ଅନୁସାରେ ରାହୁଲ ଗାନ୍ଧି ପରାଜୟ ପାଇଁ ରାଜ୍ୟର କଂଗ୍ରେସ ନେତାଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଦଳୀୟ ସ୍ୱାର୍ଥ ଅପେକ୍ଷା ନେତାମାନେ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥିଲେ ବୋଲି ରାହୁଲ ସ୍ପଷ୍ଟ ଭାବେ କହିଥିବା ଜଣାପଡିଛି । ନିର୍ବାଚନ ସାରା ଦଳର ହିତ କାହାର ପ୍ରାଥମିକତା ନଥିଲା । ନେତାମାନଙ୍କ ହିତ ଏକ ନମ୍ବରରେ ଥିଲା । ଆଉ ଦୁଇ ନମ୍ବରରେ ଦଳୀୟ ହିତ ଥିଲା ବୋଲି ରୋକଠୋକ ଭାବେ କହିଥିଲେ ରାହୁଲ । ନିର୍ବାଚନ ଫଳାଫଳର ଯାଂଚ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହେବ ।

ଶୈଳଜା, ସୁର୍ଜେୱାଲାଙ୍କୁ ଡକାଗଲା ନାହିଁ

ହରିୟାଣା ନିର୍ବାଚନରେ ପରାଜୟର କାରଣ ସଂପର୍କରେ ଆଲୋଚନା ପାଇଁ ବୈଠକରେ କିଛି ନେତାଙ୍କୁ ଡକାନଯିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କୁମାରୀ ଶୈଳଜା, ବରିଷ୍ଠ ନେତା ରଣଦୀପ ସୁର୍ଜେୱାଲା ଓ କ୍ୟାପଟେନ ଅଜୟ ଯାଦବଙ୍କୁ ବୈଠକକୁ ଡକା ଯାଇନଥିଲା । କୁମାରୀ ଶୈଳଜା ଓ ରଣଦୀପ ସୁର୍ଜେୱାଲା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରିଥିଲେ । ଭୋଟ୍ ଗଣତିରେ କଂଗ୍ରେସର ପରାଜୟ ନିଶ୍ଚିତ ହେଲା ପରେ ଦଳରେ ମତଭେଦ ନେଇ ଭୂପିନ୍ଦର ସିଂହ ହୁଡ୍ଡା ସ୍ୱୀକାର କରିବା ସହ ପରୋକ୍ଷରେ ଶୈଳଜାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ହୁଡ୍ଡାଙ୍କ ପ୍ରତି ଶୈଳଜାଙ୍କ ଅସନ୍ତୋଷ ଓ ପ୍ରଚାରରେ ଲେଟ୍ ଏଂଟ୍ରି ପରାଜୟର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି ।

ଇଭିଏମ ନେଇ ରାହୁଲ ବି ଉଠାଇଲେ ପ୍ରଶ୍ନ

ଏଣେ ହରିୟାଣା ନିର୍ବାଚନରେ ଇଭିଏମ ନେଇ ରାହୁଲ ଗାନ୍ଧି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଇଭିଏମର ତଥାକଥିତ ତ୍ରୁଟି ନେଇ ନିର୍ବାଚନ କମିଶନଙ୍କୁ ସେ ସାକ୍ଷାତ କରିବେ ବୋଲି ଏକ୍ସ ଜରିଆରେ ସଙ୍କେତ ଦେଇଛନ୍ତି ରାହୁଲ ଗାନ୍ଧି । ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ନାଟକୀୟ ବିଜୟ ହାସଲ କରିଛି । ୯୦ ଆସନରୁ ୪୮ ଆସନ ଜିତି ବିଜୟର ହ୍ୟାଟ୍ରିକ କରିଛି ବିଜେପି । ସବୁ ଏକଜିଟ୍ ପୋଲ ଏଥର କଂଗ୍ରେସ କ୍ଷମତାକୁ ଫେରିବ ବୋଲି ପୂର୍ବାନୁମାନ କରିଥିଲେ । ହେଲେ କଂଗ୍ରେସ ମାତ୍ର ୩୭ ଆସନ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.