Latest Odisha News

ବାବା ସିଦ୍ଦିକିଙ୍କୁ ମହଙ୍ଗା ପଡିଲା ସଲମାନଙ୍କ ନିକଟତର ହେବା, ପୂର୍ବରୁ ମିଳିଥିଲା ହତ୍ୟା ଧମକ

ମୁମ୍ବାଇ: ଫେଲ୍ ମାରିଲା Y+ ସୁରକ୍ଷା। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍‌ ରାସ୍ତାରେ ବାବା ସିଦ୍ଧିକ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ବାବା ସିଦ୍ଦିକିଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି। ଦଶହରା ଦିନ ରାସ୍ତା ମଝିରେ ଘଟିଥିବା ଏହି ହତ୍ୟାକାଣ୍ଡ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ବାବା ସିଦ୍ଦିକିଙ୍କୁ କାହିଁକି ହତ୍ୟା କରାଗଲା ? ବାବା ସିଦ୍ଦିକିଙ୍କୁ ସଲମାନ ଖାନଙ୍କ ନିକଟତର ହେବା ମହଙ୍ଗା ପଡିଲା କି ?

ସୂଚନା ଅନୁସାରେ ବାବା ସିଦ୍ଦିକ୍ ହତ୍ୟା ମାମଲାର ସୂତ୍ର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ସିଦ୍ଦିକଙ୍କୁ ଗୁଳି କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି କରାଯାଇଛି। ଏହି ଶୁଟରମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୁରୁମେଲ ସିଂ, ଯିଏ ହରିୟାଣାର ବାସିନ୍ଦା। ଦ୍ୱିତୀୟ ଶୁଟର ଧରମରାଜ କାଶ୍ୟପ ୟୁପିରୁ ଆସିଛନ୍ତି। କେବଳ ଦେଢରୁ ଦୁଇ ମାସ ପୂର୍ବେ ସେ ବାବା ସିଦ୍ଦିକଙ୍କ ଘରର ରେକି କରିଥିଲେ।

ବାବା ସିଦ୍ଦିକିଙ୍କୁ ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏଥିପାଇଁ ତାଙ୍କ ସୁରକ୍ଷା କଡ଼ା କଡ଼ି କରାଯାଇଥିଲା। ଧମକ ପରେ ତାଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା। ସେପଟେ ମୁମ୍ବାଇ ପୋଲିସ କିନ୍ତୁ ଏହି କଥାକୁ ଖଣ୍ଡନ କରିଛି। ତାଙ୍କୁ କୌଣସି ଧମପୂର୍ଣ୍ଣ ଚିଠି ମିଳିନଥିବା ପୋଲିସ କହିଛି।

ଲରେନ୍ସଙ୍କ ଘନିଷ୍ଠ ସହଯୋଗୀ ରୋହିତ ଗୋଦାରା ମଧ୍ୟ ଗତ ବର୍ଷ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ସଲମାନ ଖାନଙ୍କ ବନ୍ଧୁ ଯିଏ ଆମର ଶତ୍ରୁ। ବାନ୍ଦ୍ରା ପୂର୍ବର ବିଧାୟକ ଥିବା ବାବା ସିଦ୍ଦିକଙ୍କର ସଲମାନ ଖାନଙ୍କ ସହ ଏକ ଜଣାଶୁଣା ବନ୍ଧୁତା ରହିଛି। ସେ ସବୁବେଳେ ରମଜାନରେ ନିଜର ଇଫତାର ପାର୍ଟି ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ସଲମାନ ଏବଂ ଶାହାରୁଖ ଖାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଛି। ଏସବୁ ମଧ୍ୟ ମୁଖ୍ୟ କାରଣ ଥାଇ ପାରେ ବୋଲି କୁହାଯାଉଛି।

ଉଲ୍ଲେଖଥାଉ କି, ଗତ କିଛି ବର୍ଷ ହେବ ଅଭିନେତା ସଲମାନ ଖାନଙ୍କ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପଡିଆସିଛି। ଲରେନ୍ସ ଗ୍ୟାଙ୍ଗର ସୁଟରମାନେ ସଲମାନ ଖାନଙ୍କୁ ଦୁଇଥର ରେକି କରିଥିଲେ। ପ୍ରଥମ ଥର ରେଡି ଫିଲ୍ମର ସୁଟିଂ ସମୟରେ ହୋଇଥିବାବେଳେ ଦ୍ୱିତୀୟ ଥର ପାନଭେଲରେ ସଲମାନଙ୍କ ଫାର୍ମ ହାଉସର ରେକି ଥିଲା। ଏହା ପରେ ଲରେନ୍ସ ପୁଣିଥରେ ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚଳାଇଥିଲେ।

ଅନ୍ୟପଟେ ବସ୍ତି ବାସିନ୍ଦାଙ୍କୁ ପୁନଃ ଥଇଥାନ ପ୍ରକଳ୍ପ କାର୍ଯ୍ୟ ଉପରେ ମଧ୍ୟ ସମ୍ଭାବ୍ୟ ବିବାଦ ଲାଗି ରହିଥିଲା। ତେଣୁ ଏହାକୁ ନେଇ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି କୁହାଯାଉଛି। ଏହା କଣ୍ଟ୍ରାକ୍ଟ କିଲିଂ ମାମଲା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

Leave A Reply

Your email address will not be published.