Latest Odisha News

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି 

ଭୁବନେଶ୍ବର: ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ । ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଅଗଷ୍ଟ ୧୪ ତାରିଖ  ସୋମବାର ମଧ୍ୟରାତ୍ର ପରେ ଏହାକୁ ଖାଲି ଆଖିରେ ଦେଖିହେବ । ପ୍ରାୟ ୧୨:୩୩ମିନିଟରେଚନ୍ଦ୍ର ପଛରେ ଲୁଚିବ ଶନି ଓ ୧: ୩୨ମିନିଟରେ ଚନ୍ଦ୍ର ପଛରୁ ବାହାରିବ ।  ଆଗ୍ରହି ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ବିରଳ ମହାଜାଗତିକଘଟଣା ଦେଖିବାର ସୁଯୋଗ ଆସିବ।  ଅଗଷ୍ଟ ୧୪ ତାରିଖ ସୋମବାର ମଧ୍ୟରାତ୍ର ପରେ କିଛି ସମୟ ପାଇଁ ଏପରି ମହାଜାଗତିକ ଘଟଣା ଘଟିବ । ଏହି ଘଟଣାଟିକୁ ଆମେ ଏକ ପ୍ରକାରର ପରାଗ କହିପାରିବା ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ଘୋଡାଇ ଦେଇଥାଏ।  ଏଠି ଚନ୍ଦ୍ର ଶନି ଗ୍ରହକୁ ଘୋଡାଇ ଦେବ । ଆକାଶରେ ଆମକୁ ଖାଲି ଆଖିରେ ଦେଖାଯାଉଥିବା ଚନ୍ଦ୍ର, ସୂର୍ଯ୍ୟ, ତାରା ଓ ଗ୍ରହଗୁଡିକର ଆକାର ପ୍ରକୃତରେ ବହୁତ ବଡ । ସେଗୁଡିକ ଆମ ଠାରୁ ଅନେକ ଦୂରରେ ଥିବାରୁ ଆମକୁ ଏପରି ଛୋଟ ଦେଖାଯାଆନ୍ତି । ଆମକୁ ଖାଲି ଆଖିରେ ଦେଖାଯାଉଥିବା ୫ଟି ଗ୍ରହ, ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି । ଏଗୁଡ଼ିକ ଆମକୁ ଆକାଶରେ ଏକ ତାରା ଭଳି ଦେଖାଯାଆନ୍ତି । ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ, ପୃଥିବୀ ସହ ଅନ୍ୟଦୁଇଟି ପିଣ୍ଡ ସମୟ ସମୟରେ ଏକ ସରଳରେଖାରେ ଚାଲିଆସନ୍ତି । ସେଗୁଡିକ ଚନ୍ଦ୍ର-ସୂର୍ଯ୍ୟ ଅଥବା ଚନ୍ଦ୍ର ସହ ତାରା ବା ଗ୍ରହ ନ ହେଲେ ସୂର୍ଯ୍ୟ ସହ ଗ୍ରହର ଯୋଡ଼ି ହୋଇପାରେ । ଯେତେବେଳେ ଲୁଚୁଥିବାର ପିଣ୍ଡଟିର ଆକାର ଲୁଚାଉଥିବା ପିଣ୍ଡର ଆକାର ତୁଳନାରେ ଅନେକ ଗୁଣ ଛୋଟ ହୋଇଥାଏ ସେତେବେଳେ ଏହାକୁ ସମାବରଣ ବା(Occultation)କୁହାଯାଏ ।ଯଦି ଆମ ଆକାଶରେ ବଡ଼ ଦେଖାଯାଉଥିବା ଚନ୍ଦ୍ର ପଛରେ ଖୁବ୍ ଛୋଟ ଦେଖାଯାଉଥିବା ତାରା ବା ଗ୍ରହଟିଏ ଲୁଚିଯାଏ ତା’ହେଲେ ସମାବରଣ ଘଟିଥାଏ ।  ଚନ୍ଦ୍ର ପଛରେ ଲୁଚିଯାଉଥିବା ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ ସମାବରଣ ଖାଲି ଆଖିରେ ଦେଖାଯାଇଥାଏ । ଏହା ଖୁବ୍ ସୁନ୍ଦର ଅନୁଭୂତି । ସବୁ ବର୍ଷ  ଚନ୍ଦ୍ର ପଛରେ କିଛି ତାରା / ଗ୍ରହ ଲୁଚିଥାଆନ୍ତି । ଚନ୍ଦ୍ର ପଛରେ ଶନି ଗ୍ରହ ଧିରେ ଧିରେ ଲୁଚିବା ଓ ପୁନର୍ବାର ଧିରେ ଧିରେ ଚନ୍ଦ୍ର ପଛରୁ ବାହାରିବା ଅତ୍ୟନ୍ତ ମନୋରମ ଦୃଶ୍ୟ ଅଟେ । ଏହି ବିରଳ ମହାଜାଗତିକ ଘଟଣା ଦେଖିବାକୁ  ନିର୍ଦ୍ଧାରିତ ସମୟର ପନ୍ଦର ମିନିଟ୍ ପୂର୍ବରୁ ଓ ପନ୍ଦର ମିନିଟ୍ ପରେ ଦେଖିଲେ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହେବା ଓ ଅନ୍ୟ ପଟରେ ପୁନର୍ବାର ଦେଖାଯିବ।ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Leave A Reply

Your email address will not be published.