Latest Odisha News

ଠକେଇ ମାମଲାରେ ଛନ୍ଦି ହେଲେ ପ୍ରସିଦ୍ଧ କୋରିଓଗ୍ରାଫର୍ ରେମୋ ଡି’ସୁଜା

ମୁମ୍ବାଇ: ଠକେଇ ମାମଲାରେ ଛନ୍ଦି ହେଲେ କୋରିଓଗ୍ରାଫର ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା । ମହାରାଷ୍ଟ୍ରର ଥାନେରେ ଉଭୟଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଉଭୟଙ୍କ ବିରୋଧରେ ଏକ ଡ୍ୟାନ୍ସ ଗ୍ରୁପ ଠାରୁ ୧୧.୯୬ କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ପୋଲିସ ଆଉ ୫ଜଣଙ୍କ ନାମରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ୨୬ ବର୍ଷିୟ ଜଣେ ଡ୍ୟାନ୍ସର ଏହି ଅଭିଯୋଗ କରିଛନ୍ତି । ଗତ ଅକ୍ଟୋବର ୧୬ ତାରିଖରେ ରେମୋ, ଲିଜେଲ ଏବଂ ଅନ୍ୟ ପାଞ୍ଚଜଣଙ୍କ ବିରୋଧରେ ଥାନେ ସ୍ଥିତ ମୀରା ରୋଡ ପୋଲିସ ଷ୍ଟେସନରେ ଆଇପିସି ଧାରା ୪୬୫, ୪୨୦ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏଫ୍ଆଇଆର୍ ଅନୁଯାୟୀ, ଅଭିଯୋଗକାରୀ ଏବଂ ତାଙ୍କ ସହଯୋଗୀମାନଙ୍କ ଠାରୁ ଏହି ଠକେଇ କାମ ୨୦୧୮ରୁ ଲଗାତାର ଭାବରେ କରୁଛନ୍ତି ରେମୋ, ତାଙ୍କ ପତ୍ନୀ ଏବଂ ଅନ୍ୟ ୫ଜଣ । ଏକ ଜଣା ଶୁଣା ଟିଭିର ଏକ ରିଅଲିଟି ଶୋ’ରେ ଅଭିଯୋଗ କରିଥିବା ଏହି ଡ୍ୟାନ୍ସ ଟ୍ରୁପ୍ ଭଲ ପ୍ରଦର୍ଶନ କରି ଜିତିଥିଲା । କିନ୍ତୁ ରେମୋ, ତାଙ୍କ ପତ୍ନୀ ଏବଂ ଅନ୍ୟ ୫ଜଣ ସେମାନଙ୍କୁ ବିଭିନ୍ନ ମିଛ କହି ଏବଂ ପ୍ରଲୋଭନ ଦେଖାଇ ସେମାନେ ଜିତିଥିବା ୧୧.୯୬ କୋଟି ଟଙ୍କା ହଡପ କରିନେଇଥିଲେ । ପୋଲିସର କହିବା ଅନୁସାରେ, ରେମୋ ଏବଂ ଲିଜେଲଙ୍କ ବ୍ୟତୀତ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତଙ୍କ ମଧ୍ୟରେ ଓମପ୍ରକାଶ ଶଙ୍କର ଚୌହାନ, ରୋହିତ ଯାଦବ, ଫ୍ରେମ୍ ପ୍ରଡକ୍ସନ୍ କମ୍ପାନୀ, ବିନୋଦ ରାଉତ, ରମେଶ ଗୁପ୍ତା ଏବଂ ଜଣେ ପୋଲିସ କର୍ମୀ ମଧ୍ୟ ଅଛନ୍ତି। ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।

ରେମୋ ଡି’ସୁଜା ବଲିଉଡର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର୍ । ଫାଲତୁ, ଏବିସିଡି ଏବଂ ରେସ୍ ୩ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ । ଏହା ବ୍ୟତୀତ ତାଙ୍କୁ ଅନେକ ଡ୍ୟାନ୍ସ ସୋ’ରେ ଜଜ୍ ଭାବରେ ମଧ୍ୟ ଦେଖିବାକୁ ମିଳିଛି। ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଜାଲକ ଦିଖଲା ଜା, ଡ୍ୟାନ୍ସ କେ ସୁପରଷ୍ଟାର, ଡ୍ୟାନ୍ସ ପ୍ଲସ୍ ଏବଂ ଡିଆଇଡି ଲିଟିଲ ମାଷ୍ଟର ଭଳି ରିଅଲିଟି ଶୋ’ରେ ଜଜ୍ ଅଛନ୍ତି । ରେମୋଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ବି ହାପି’ ଆଗକୁ ରିଲିଜ୍ ହେବକୁ ଯାଉଛି । ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ ଏବଂ ଇନାୟତ ବର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ନୋରା ଫତେହି ଏବଂ ଜନି ଲିଭର ମଧ୍ୟ ଅଛନ୍ତି ।

Comments are closed.