Latest Odisha News

ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଚୟନ ନେଇ ଟିମ ଇଣ୍ଡିଆ ଦ୍ୱନ୍ଦ୍ୱରେ ରହିଛି ।

ଗିଲ-ରାହୁଲଙ୍କ ମଧ୍ୟରୁ କିଏ ଖେଳିବ: ଶୁଭମନ ଗିଲ ଓ କେଏଲ ରାହୁଲଙ୍କ ମଧ୍ୟରେ ଜଣେ ଚୂଡାନ୍ତ ଏକାଦଶରେ ସାମିଲ ହେବେ ବୋଲି ଟିମ ମ୍ୟାନେଜମେଂଟ ସ୍ପଷ୍ଟ କରିଛି । ଗିଲ ପ୍ରଥମ ଟେଷ୍ଟରେ ଫିଟ ନ ଥିବାରୁ ଖେଳି ପାରି ନ ଥିଲେ । ରାହୁଲ ତାଙ୍କୁ ମିଳିଥିବା ସୁଯୋଗର ସଦୁପଯୋଗ କରିପାରି ନାହାନ୍ତି । ଏବେ କିଏ ଖେଳିବେ ତାହା ସ୍ପଷ୍ଟ ହୋଇ ପାରିନି ।

ତୃତୀୟ ସ୍ପିନର: ପୁଣେ ଟ୍ରାକ ସ୍ପିନରଙ୍କୁ ସୁହାଇବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, କୂଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ୩ଜଣ ଦଳରେ ସାମିଲ ହେବେ । ଅଶ୍ୱୀନ ଖେଳିବା ପ୍ରାୟତଃ ନିଶ୍ଚିତ ହୋଇଥିବା ବେଳେ ଜାଡେଜାଙ୍କ ବଦଳରେ ଅକ୍ଷର ପଟେଲଙ୍କୁ ସୁଯୋଗ ଦେବା ନେଇ ଆଲୋଚନା ହେଉଛି । ସେହିପରି କୂଲଦୀପ ଖେଳିବେ କି ନାହିଁ ତାହା ମଧ୍ୟ ଜଣାପଡି ନାହିଁ ।

ସିରାଜ ରହିବେ କି ନାହିଁ: ପ୍ରଥମ ଟେଷ୍ଟରେ ମହମ୍ମଦ ସିରାଜଙ୍କ ବୋଲିଂ ନିରାଶ କରିଛି । ସେ ଆବଶ୍ୟକ ବେଳେ ୱିକେଟ ହାସଲ କରି ନ ପାରିବା ଟିମ ଇଣ୍ଡିଆକୁ ଚିନ୍ତାରେ ପକାଇଛି । ଯଶପ୍ରୀତ ବୁମରାହଙ୍କ ସହ ସିରାଜଙ୍କୁ ଖେଳାଯିବ ନାଁ ଆକାଶଦୀପ ଏକଦାଶରେ ସାମିଲ କରାଯିବ ତାହା ମଧ୍ୟ ଏକ ବଡ ପ୍ରଶ୍ନ ହୋଇ ରହିଛି ।

ଖେଳିବେ କି ୩ ଅଲରାଉଣ୍ଡର: ବ୍ୟାଟିଂ ଲାଇନଅପ ମଜଭୁତ କରିବା ପାଇଁ ଟିମ ଇଣ୍ଡିଆ ଆବଶ୍ୟକ ପଡିଲେ ୩ଜଣ ଅଲରାଉଣ୍ଡରଙ୍କୁ ଖେଳାଇବା ନେଇ ଯୋଜନା କରୁଛି । ଯଦି ଏହା ହୁଏ ତେବେ ଅଶ୍ୱୀନ ଓ ଜାଡେଜାଙ୍କ ସହ ଅକ୍ଷରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ପ୍ରଥମ ଟେଷ୍ଟରେ ବ୍ୟାଟିଂ ବିଫଳତା ଭାରତ ପରାଜୟର କାରଣ ହୋଇଥିଲା ।
୬ ଖେଳାଳି ନିଶ୍ଚିତ: ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ରବିଚନ୍ଦ୍ରନ ଅଶ୍ୱୀନ, ଯଶପ୍ରୀତ ବୁମରାହ ଓ ରିଷଭ ପନ୍ତ ଖେଳିବା ନିଶ୍ଚିତ । ବାକି ୫ଟି ସ୍ଥାନ ପାଇଁ ଟିମ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ ରହିଛି ।

Leave A Reply

Your email address will not be published.