Latest Odisha News

BREAKING NEWS

ଉପକୂଳ ମୁହାଁ ‘ଦାନା’; ୭୨୨୬ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ପୁରୀ: ବର୍ତ୍ତମାନ ପାରାଦ୍ୱୀପରୁ ୧୫୦ କିମି ଦୂରରେ ରହିଛି ବାତ୍ୟା ‘ଦାନା’ । ଏହାର ପ୍ରଭାବ ୧୧ଟି ଜିଲ୍ଲାରେ ଦେଖିବାକୁ ମିଳିବ । ସୁରକ୍ଷା ଦୃଷ୍ଟିରୁ ସାଢ଼େ ୩ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଜଣଙ୍କୁ ରଖାଯାଇଛି । ଏନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି ।

ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ । ଉଦ୍ଧାର କରାଯାଇଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ନେଇଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି ।

ଜିଲ୍ଲାର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡର ଲୋକେ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲ୍ଲା ଅରେଞ୍ଜ ରୁ ରେଡ୍ ଜୋନ ଥିବାରୁ ଲୋକମାନେ ଆଶ୍ରୟସ୍ଥଳକୁ ଆସିବାକୁ ଲାଗିଛନ୍ତି ।

ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟାର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରି କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି । ଜିଲ୍ଲାରେ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ପ୍ରସବ ଦେବାକୁ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୦୪ ଜଣ ଶିଶୁ ମାନଙ୍କୁ ପ୍ରସବ ଦେଇ ସାରିଥିବା ବେବେ ୭୪ ଜଣଙ୍କୁ ଚିକିତ୍ସାଳୟରେ ରଖାଯାଇଛି ଓ ପକ୍କା ଘର ଥିବାରୁ ୩୧ ଜଣ ପ୍ରସବ ସମୟ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ରହିଛନ୍ତି ।

ଜିଲ୍ଲାରେ ୧୪ଟି ମେଡ଼ିକାଲ ଟିମ୍, ୧୬ଟି ପ୍ରାଣୀ ଚିକିତ୍ସା ଟିମ୍ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.