Latest Odisha News

BREAKING NEWS

ଶ୍ରୀମନ୍ଦିର ଦକ୍ଷିଣା ବନ୍ଦ ପ୍ରସଙ୍ଗ: ରୁଦ୍ଧଦ୍ୱାର ବୈଠକକୁ ସେବାୟତମାନଙ୍କ ଘୋର ବିରୋଧ

ପୁରୀ : ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟସରକାର ଦ୍ୱାରା ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ତିନିଜଣିଆ ବିଶେଷଜ୍ଞ କମିଟିର ରୁଦ୍ଧଦ୍ୱାର ଜନଶୁଣାଣିକୁ ବିରୋଧ କରିଛନ୍ତି ସେବାୟତମାନେ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଲିଥିବା ଜନଶୁଣାଣିର ପ୍ରତିବାଦ କରିବାକୁ ଯାଇ ସେବାୟତମାନେ ସଭାଗୃହ ଆଗରେ ଧାରଣା ଦେଇଥିଲେ । ତେବେ ଉତ୍ତେଜନା ବୃଦ୍ଧି ପାଇବାରୁ ପୋଲିସର ସୁରକ୍ଷା ବଳୟରେ ଜନଶୁଣାଣି ହୋଇଛି ।

ସୂଚନା ଅନୁଯାୟୀ ସେବକଙ୍କ ବଂଶାନୁକ୍ରମିକ ସେବା ଏବଂ ଦକ୍ଷିଣା ଆଦାୟ ବନ୍ଦ ପ୍ରସଙ୍ଗରେ ଦ୍ୱିମତ ପ୍ରକାଶ ପାଇଥିଲା । ସେବାୟତମାନେ ଏହାକୁ ବିରୋଧ କରି ଆସୁଥିଲେ । କମିଟି ସଦସ୍ୟମାନେ ସର୍ବସାଧାରଣରେ ଏହି ଜନଶୁଣାଣି ବୈଠକ ନକରି ରୁଦ୍ଧଦ୍ୱାର କୋଠରି ଭିତରେ ଜଣଜଣଙ୍କୁ ଡାକି ଶୁଣାଣି କରିଥିଲା । ଫଳରେ ଏହି ବୈଠକକୁ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ଘୋର ବିରୋଧ କରିଛି ।

ସରକାରଙ୍କ ଦ୍ୱାରା ଗଠିତ ଏହି ବିଶେଷଜ୍ଞ କମିଟିରେ କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,ସଦସ୍ୟ ମହିମୋହନ ତ୍ରିପାଠୀ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି ପ୍ରମୁଖ ରହିଥିଲେ । ସେବାୟତଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେବା ଲାଗି ଏହା ପ୍ରଶାସନର ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ସାଧାରଣ ସମ୍ପାଦକ କାଶୀନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ଓକିଲ ସଂଘ ସେବାୟତଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।

Leave A Reply

Your email address will not be published.