Latest Odisha News

ରାଷ୍ଟ୍ରପତି ଭବନରେ ଝଲସୁଛି ସୂର୍ଯ୍ୟ ମନ୍ଦିରର ନିଦର୍ଶନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଝଲସୁଛି ଓଡିଶାର ସୂର୍ଯ୍ୟ ମନ୍ଦିରର ନିଦର୍ଶନ । ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କୋଣାର୍କ ଚକ ସ୍ଥାପନା କରାଯାଇଛି । ତେବେ ରାଷ୍ଟ୍ରପତି ଭବନରେ ଦେଶର ବିଭିନ୍ନ ପାରମ୍ପରିକ, ସାଂସ୍କୃତିକ ତଥା ଐତିହାସିକ ଉପାଦାନକୁ ସାମିଲ କରିବା ପଦକ୍ଷେପର ଏହା ହେଉଛି ଗୋଟିଏ ଅଂଶବିଶେଷ ।

ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ପାଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ଏକ ଉତ୍କୃଷ୍ଟ ନମୁନା। ସୂର୍ଯ୍ୟ ଦେବତାଙ୍କୁ ନେଇ ଯାଉଥିବା ଏକ ବିରାଟ ରଥ ଆକାରରେ ଏହା ନିର୍ମିତ ହୋଇଥିଲା । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ସେଥିମଧ୍ୟରୁ କୋଣାର୍କ ଚକ ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ ।

Comments are closed.