ସମ୍ବଲପୁର: ହୀରାକୁଦ ଡ୍ୟାମ୍ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ଫଳରେ ପାଣିର ମାନ ଅତ୍ୟନ୍ତ ଖରାପ ହେଉଥିବା ଜଣାପଡିଛି । ଫଳରେ ମଣିଷ ସମେତ ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି କରିଛି ।
୨୦୨୦ ମସିହା ମାର୍ଚ୍ଚ ମାସରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ ଯୋଜନା (ଏମଆରଆଇପି) ଅଧୀନରେ ହୋଇଥିବା ଗବେଷଣା ଅନୁସାରେ, ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି ।
ଖାଲି ସେତିକି ନୁହେଁ ଜଳଭଣ୍ଡାର କୂଳରେ ଗଢ଼ି ଉଠିଥିବା ବଡ଼ ବଡ଼ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟ ଜଳ ପାଣିରେ ମିଶୁଛି । ଫଳରେ ଜଳଭଣ୍ଡାରର ପଟୁରେ ଭାରି ଧାତୁ ଜମା ହୋଇ ରହୁଛି । ଏହାର ପ୍ରଭାବ ଯୋଗୁଁ ମାଛବଂଶ ଉପରେ ମଧ୍ୟ ବହୁ ପ୍ରଭାବ ପଡୁଛି ଫଳରେ ମାଛ ବଂଶ ଲୋପ ପାଇବାକୁ ବସିଲେଣି ।
ମୌସୁମୀ ପୂର୍ବବର୍ତ୍ତୀ ସ୍ଥିତିରେ ଜଳଭଣ୍ଡାର ପାଣିରେ ଅଧିକ ପରିମାଣର ସାଇନୋ ବାକ୍ଟେରିଆ ରହୁଥିବାରୁ ପାଣିର ମାନ ନିମ୍ନଗାମୀ ହେବା ସହ ଜଳ ଭଣ୍ଡାରର ଜୈବ ବିବିଧତା ବିଗୁଡୁଥିବା ଅନୁସନ୍ଧାନ ରିପୋର୍ଟରେ ଦର୍ଶାଯାଇଛି ।
ଏ ସମ୍ପର୍କରେ ରାଜସ୍ବମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଦୂଷଣ ରୋକିବା ପାଇଁ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏ ବାବଦରେ ବିସ୍ତୃତ ଆଲୋଚନା ହୋଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।