ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର । ଜନତା ନେଉଛନ୍ତି ଅଗ୍ନିପରୀକ୍ଷା । ଡୋନାଲ୍ଡ ଟ୍ରମ୍ପ ନା କମଲା ହାରିସ? କାହାକୁ ବାଛିବେ ଆମେରିକା ଜନତା? ମଙ୍ଗଳବାର ନିର୍ବାଚନ, ଶେଷ ପର୍ଯ୍ୟାୟରେ ଜୋରଦାର କସରତ । ମଇଦାନରେ ସବୁ ଦଳର ନେତା, ସମର୍ଥନରେ ସେଲିବ୍ରିଟି । ଡେମୋକ୍ରାଟିକ ପାର୍ଟିରୁ କମଲା ହାରିସ ମଇଦାନରେ ତ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଗତଥର ଜୋ ବାଇଡେନଙ୍କଠାରୁ ହାରିଥିବା ଟ୍ରମ୍ପ ଏଥର କମଲା ହାରିସଙ୍କୁ କଡା ଟକ୍କର ଦେଉଛନ୍ତି । ଆମେରିକା ନିର୍ବାଚନ ଉପରେ ସାରା ବିଶ୍ବର ନଜର ରହିଛି ।
ଚରମରେ ଆମେରିକା ନିର୍ବାଚନ ତାତି
ଆମେରିକାରେ କିଏ ବାଜି ମାରିବ, ଏପର୍ଯ୍ୟନ୍ତ ହୋଇପାରୁନି ସ୍ପଷ୍ଟ। ସାରା ବିଶ୍ବକୁ ଆଶ୍ଚର୍ଯ୍ୟ କରିଛି ସିଏନଏନ ସର୍ଭେ । କାରଣ ସର୍ଭେ ରିପୋର୍ଟରେ ଉଭୟ ଦଳ ମଧ୍ୟରେ ଟାଏ ହୋଇଥିବା ଜଣାପଡିଛି। ସାରା ବିଶ୍ବକୁ ପ୍ରଭାବିତ କରେ ଆମେରିକା ନିର୍ବାଚନ ଫଳ। ଯେଉଁ ଦଳ କ୍ଷମତାକୁ ଆସିବ, ସେଇ ଦଳର ନୀତି ଅନୁସାରେ ସୁପରପାଓ୍ବାର ଆମେରିକାର ଆଭିମୁଖ୍ୟ ରହିବ। ଯଦି ଟ୍ରମ୍ପ ଆସିବେ ଆମେରିକା ଫାଷ୍ଟ ନୀତି ଆସିବ, ଅଧିକ ଆକ୍ରାମକ ହେବେ ସରକାର । ଯେବେକି କମଲା ହ୍ୟାରିସ ବାଲାନ୍ସଡ । ସାଧାରଣ ଭାବେ ତାଙ୍କ ଦଳ ଡିଫେନ୍ସିଭ ନୀତି ଆଣନ୍ତି। ସର୍ଭେ ଅନୁସାରେ ୮୫ ପ୍ରତିଶତ ମତଦାତା କାହାକୁ ଭୋଟ୍ ଦେବେ ନିଷ୍ପତ୍ତି ନେଇସାରିଛନ୍ତି। ହେଲେ ବାକି ୧୫ପ୍ରତିଶତ ସାଇଲେଣ୍ଟ ଭୋଟର ହିଁ ନିର୍ବାଚନରେ ଗେମ୍ ଚେଞ୍ଜର ହୋଇପାରନ୍ତି ବୋଲି କୁହାଯାଉଛି।
ବ୍ୟାଟେଲ ଗ୍ରାଉଣ୍ଡ ଷ୍ଟେଟ ହାତରେ ଚାବି
କାଲିଫର୍ଣ୍ଣିଆରେ କମଲା ହାରିସଙ୍କ ଲୋକପ୍ରିୟତା ରହିଛି ତ ଟେକ୍ସାସ ଓ ଫ୍ଲୋରିଡାରେ ଡୋନାଲ୍ଡ ଟ୍ରମ୍ପଙ୍କର । ତେଣୁ ପେନସିଲଭାନିଆ, ମିଚିଗାନ, ଜର୍ଜିଆ, ନେଭାଡା, ଆରିଜୋନା ଓ ଉତ୍ତର କେରୋଲିନା ଭଳି ରାଜ୍ୟର ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ମୁକାବିଲାରେ ଗେମଚେଞ୍ଜର ହୋଇପାରେ । ବିଭିନ୍ନ ସର୍ଭେ କମଲା ହ୍ୟାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହୋଇପାରେ ବୋଲି ଆକଳନ କରୁଛନ୍ତି । ତେଣୁ ଏଥର ନିର୍ବାଚନ ଫଳାଫଳ ଏକପାଖିଆ ଆଶା କରାଯାଉନି, ଉଭୟ ହାରିସ ଓ ଟ୍ରମ୍ପଙ୍କ ମଧ୍ୟରେ ରହିବ କାଣ୍ଟେ କି ଟକ୍କର ।
ପ୍ରଚାରରେ ନେତା, ସେଲିବ୍ରିଟି
ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ମନାଇବାକୁ ଚାଲିଛି ଉଦ୍ୟମ। ଟ୍ରମ୍ପ, ହ୍ୟାରିସ, ବାଇଡେନ୍ ହୁଅନ୍ତୁ କି ବାରାକ ଓବାମା, ଆମେରିକାର ସବୁ ବଡ ନେତା ଏବେ ମଇଦାନରେ । ନିଜ ଦଳକୁ ଜିତାଇବାକୁ ଜୀ ତୋଡ୍ ମେହନତ କରୁଛନ୍ତି । କେବଳ ନେତା ନୁହନ୍ତି ହଲିଉଡର ବଡ ସେଲିବ୍ରିଟି ବି ମଇଦାନକୁ ଓହ୍ଲାଇଛନ୍ତି। କମଲା ହ୍ୟାରିସଙ୍କ ସମର୍ଥନରେ ସିଙ୍ଗର ବେୟୋନ୍ସି, ବ୍ରୁସ ସ୍ପ୍ରିଙ୍ଗଷ୍ଟିନ, ରାପର ଏମିନେମଙ୍କ ପରି ସେଲିବ୍ରିଟି ରହିଛନ୍ତି । ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ ହୁଅନ୍ତୁ କି ଲିଙ୍କଡ ଇନର କୋଫାଉଣ୍ଡର ରିଡ୍ ହଫମ୍ୟାନ୍ ବା ବ୍ଲୁମବର୍ଗର କୋଫାଉଣ୍ଡର ମାଇକଲ ବ୍ଲୁମବର୍ଗ ହାରିସଙ୍କ ପାଇଁ ବଡ ବ୍ୟବସାୟୀ ବି ଠିଆ ହୋଇଛନ୍ତି । ସେଲିବ୍ରିଟିଙ୍କ ସମର୍ଥନରେ ହାରିସଙ୍କଠାରୁ ଟିକେ ପଛରେ ରହିଛନ୍ତି ଟ୍ରମ୍ପ । ତାଙ୍କ ସମର୍ଥନରେ ରହିଛନ୍ତି ଅଭିନେତା ଜୈକରି ଲେବି, ଲି ଗ୍ରିନଉଡ୍, ଜେସନ ଏଲଡିନଙ୍କ ପରି ଷ୍ଟାର । ତେବେ ଟ୍ରମ୍ପଙ୍କ ସପକ୍ଷରେ ସବୁଠୁ ବଡ ସମର୍ଥନ ରହିଛି ଏଲନ ମସ୍କଙ୍କର ।
ଭାରତୀୟ- ଆମେରିକୀୟ ବଦଳାଇବେ ଖେଳ !
ଆମେରିକାରେ ଭୋଟରଙ୍କ ସଂଖ୍ୟା ୧୬କୋଟି ୮୩ଲକ୍ଷ ଥିବା ବେଳେ ୨୬ଲକ୍ଷରୁ ଅଧିକ ଭାରତୀୟ-ଆମେରିକୀୟ ଭୋଟର ରହିଛନ୍ତି । ୨୦୧୦ରୁ ୨୦୨୦ ମଧ୍ୟରେ ସେମାନଙ୍କ ସଂଖ୍ୟା ୫୦ପ୍ରତିଶତ ବଢିଛି । ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଆସିଛନ୍ତି ଭାରତୀୟ-ଆମେରିକୀୟ । କମଲା ହାରିସ ଭାରତୀୟ-ଆମେରିକୀୟ ହୋଇଥିବାରୁ ତାଙ୍କ ପ୍ରତି ସମର୍ଥନ ଅଧିକ ରହିଛି । ତେବେ ଶେଷ ମୁହୁର୍ତ୍ତରେ ହିନ୍ଦୁତ୍ବ ଗୋଟି ଚଳାଇଛନ୍ତି ଟ୍ରମ୍ପ । ବାଇଡେନ୍-ହାରିସ ପ୍ରଶାସନର ନୀତି ପାଇଁ ଆମେରିକା ସମେତ ସାରା ବିଶ୍ବରେ ହିନ୍ଦୁଙ୍କ ସୁରକ୍ଷା ପ୍ରଭାବିତ ହୋଇଛି । ତେବେ ସେ ହିନ୍ଦୁଙ୍କ ସୁରକ୍ଷା କରିବେ କହିଛନ୍ତି ଟ୍ରମ୍ପ । ଏହାସହ ନିର୍ବାଚନରେ ବିସ୍ଥାପନ, ସୀମା ନିୟନ୍ତ୍ରଣ, ରାଷ୍ଟ୍ରପତିଙ୍କ ଅଧିକାର ଓ ଅର୍ଥନୈତିକ ବ୍ୟବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗ ବି ରହିଛି । ନଭେମ୍ବର ୫ତାରିଖରେ ମତଦାନ ନିର୍ଦ୍ଧାରଣ କରିବ ରାଷ୍ଟ୍ରପତି ରେସରେ ଜିତିବ କିଏ?