Latest Odisha News

BREAKING NEWS

ରାସନ ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ: ବିଜେଡି

ଭୁବନେଶ୍ୱର: ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ପକ୍ଷରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କହିଛନ୍ତି। ଦାସବର୍ମା କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜାର ବିଷୟ ହେବା ସହିତ ରାଜ୍ୟ ବିଜେପି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। ମୃତକ ଓ ଗୁରୁତର ହୋଇଥିବା ସମସ୍ତ ମହିଳାମାନଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ମିଳୁଥିବା ଚାଉଳ, ଗତ ଚାରି ମାସ ହେଲା ପାଇନାହାନ୍ତି ବୋଲି, ଆମେ ସ୍ଥାନୀୟ ଅଞ୍ଚଳରୁ ଜାଣିବାକୁ ପାଇଲୁ। ଏହି ଚାଉଳ ଗତ ଚାରି ମାସ ଧରି ମିଳି ନଥିବାରୁ, ସେମାନେ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ଦାସବର୍ମା କହିଥିଲେ।  ସେ ଆହୁରି କହିଥିଲେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଘଟଣାକୁ ହାଲୁକା ଭାବେ ନେଇ ଆମ୍ବ ଟାକୁଆ ସେହି ଅଞ୍ଚଳର ବାସିନ୍ଦାମାନଙ୍କର ନିୟମିତ ଖାଦ୍ୟ ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାରଙ୍କ ତରଫରୁ ଏହି ଘଟଣାର ବିଭାଗୀୟ ତଦନ୍ତର ନିର୍ଦେଶ ଦିଆଯାଇଛି ବୋଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇନଥିବା ବେଳେ, ଆମ୍ବ ଟାକୁଆ ଜାଉ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା, କେବଳ ଘଟଣାକୁ ଚପାଇ ଦେବା ପାଇଁ ଉଦିଷ୍ଟ ବୋଲି ସ୍ପଷ୍ଟ ଜଣାପଡୁଛି। ରାଜ୍ୟ ସରକାର ଘଟଣାକୁ ଗୁରୁତର ସହିତ ନେଇ ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥାକୁ ସକ୍ରିୟ କରନ୍ତୁ ଓ ଏପରି ଘଟଣାର କିପରି ପୁନରାବୃତ୍ତି ନହେବ, ସେଥିପ୍ରତି ସଚେତନ ରୁହନ୍ତୁ ବୋଲି ଦାସବର୍ମା କହିଥିଲେ।

ସୂଚନାଯୋଗ୍ୟ, କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ମହିଳା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଜଣେ ମହିଳାଙ୍କର ନିକଟସ୍ଥ ବ୍ରାହ୍ମଣୀ ଗାଁ ମେଡିକାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ୬ ଜଣ ଗୁରୁତର ହୋଇଥିବା ମହିଳାଙ୍କୁ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆମ୍ବ ଟାକୁଆରୁ ବାହାରୁଥିବା କୋଇଲିରୁ ପ୍ରସ୍ତୁତ ଜାଉ ଖାଇଥିବା ଏହି ମହିଳାମାନେ ପରେ ଅସୁସ୍ଥ ହୋଇ ପଡ଼ିଥିଲେ।

Leave A Reply

Your email address will not be published.