ପୁରୀ: ଚାରି ଦ୍ବାରରେ ମେଘନାଦ ପାଚେରିରେ ଦେଖିବାକୁ ମିଳିଛି ଫାଟ l ପଶ୍ଚିମ ଓ ଦକ୍ଷିଣ ଦ୍ବାର ମେଘନାଦ ପାଚେରିରେ ବି ଫାଟ l ପଶ୍ଚିମ ଦ୍ବାରରେ ଥିବା ଡ୍ରେନେଜ୍ ପାଣି ପାଚେରି ଦେଇ ତଳେ ପଡ଼ୁଛି l ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଦ ପାଚେରିରେ ପାଣି ଝରି ଖାଲି ଫାଟ ସହଜରେ ମିଳୁନାହିଁ ତେଣୁ ଫାଟ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ମେଘନାଦ ପାଚେରିର ଦୂରବସ୍ଥା ନେଇ ଖବର ପ୍ରସାରଣ ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଶ୍ରୀମନ୍ଦିର ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହେବା ଓ ପାଣି ଗଳିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି l ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ପ୍ରଶାସନିକ ସମନ୍ୱୟ ଅଭାବରୁ ମରାମତି ବିଳମ୍ବ ହୋଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି l ସେପଟେ ପାଚେରିର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନଃରୁଦ୍ଧାର ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ । ଏଥିସହ ସହ ପ୍ରାଚୀରର ଏକ ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ମଧ୍ୟ ଏଏସଆଇ ଅଧିକ୍ଷକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ଏଏସ୍ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି।ପ୍ରାରମ୍ଭିକ ପ୍ରକ୍ରିୟା ଅନୁଯାୟୀ ଜଏଣ୍ଟ ସିଲିଂ କାମ କରାଯାଉଛି।
ତେବେ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବେଶ ପ୍ରାଚୀନ ନିର୍ମିିତ ମେଘନାଦ ପାଚେରି ଏକ ଐତିହାସିକପୂର୍ଣ୍ଣ କୀର୍ତ୍ତିରାଜି ହୋଇଥିବାବେଳେ ଏହାର ନିର୍ମାଣ ଶୈଳୀ ମଧ୍ୟ ବେଶ ନିଆରା l ଗତ ସେପ୍ଟେମ୍ବର ମାସରେ ଉତ୍ତରଦ୍ୱାର ନିକଟରେ ଏହି ଭବ୍ୟ ପ୍ରାଚୀରରୁ ଫାଟ ସୃଷ୍ଟି ହୋଇ ପାଣି ଗଳିବା ନଜରକୁ ଆସିଥିବାବେଳେ ପ୍ରାଚୀରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା l ଏନେଇ ସେତେବେଳେ ଖବର ପ୍ରସାରିତ ହୋଇଥିବାବେଳେ ଏହାର ତୁରନ୍ତ ମରାମତି ନେଇ ଏଏସଆଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଏହାର ମରାମତି ଅସ୍ଥାୟୀ ଭାବରେ କରାଯିବା ସତ୍ତ୍ୱେ କିଛି ଦିନ ପରେ ପୁନର୍ବାର ପ୍ରାଚୀରର ଫାଟ ସୃଷ୍ଟି ହୋଇ ପାଣି ଗଳୁଥିବା ନଜରକୁ ଆସିଥିବାବେଳେ ଏହା ଏବେ ଚିନ୍ତାର କାରଣ ସାଜିଛି l