Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ନୂଆ ଟିମ, ପ୍ରକୃତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୮ରୁ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆଙ୍କ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଯୁବ ବ୍ରିଗେଡଙ୍କ ପ୍ରକୃତ ଦକ୍ଷତା ଏହି ସିରିଜରେ ଜଣାପଡିବ । ବାଂଲାଦେଶ ବିପକ୍ଷରେ ସଞ୍ଜୁ ସାମସନ ବିସ୍ଫୋରକ ଶତକ ହାସଲ କରିଥିଲେ । ଏବେ ଟପ ଅର୍ଡରରେ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ସାମସନ ନିଶ୍ଚିତ ଭାବେ ଚାହିଁବେ ।

ସେହିପରି ଅଭିଷେକ ଶର୍ମାଙ୍କୁ ତାଙ୍କ ପ୍ରଦର୍ଶନସ୍ତରରେ ଆହୁରି ସୁଧାର ଆଣିବାକୁ ପଡିବ । ଜିମ୍ବାୱେ ବିପକ୍ଷ ସିରିଜରେ ସେ ହରାରେରେ ଶତକ ହାସଲ କରିବା ପରେ ଆଉ ଭଲ ଇନିଂସ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଏକ ଶକ୍ତିଶାଳୀ ଟିମ ହୋଇଥିବାରୁ ତାଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡିବ । ଏହା ବ୍ୟତୀତ ବୋଲିଂରେ ମଧ୍ୟ ତାଙ୍କୁ ଦଳର ଆବଶ୍ୟକତା ଅନୁସାରେ ପ୍ରଦର୍ଶନ କରିବାକୁ ପଡିବ । ତିଳକ ବର୍ମା ଅଗଷ୍ଟ ୨୦୨୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସମ୍ପୂର୍ଣ୍ଣ ଷ୍ଟାଇଲରେ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ରେ ଏହା ପରେ ସେ ୧୨ଟି ଟି୨୦ ମ୍ୟାଚ ଖେଳି ଗୋଟିଏ ମାତ୍ର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ୱିକେଟ କିପର ଜିତେଶ ଶର୍ମା ଓ ସ୍ପିନର ବରୁଣ ଚକ୍ରବର୍ତିଙ୍କ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ମିଳିଥିବା ସୁଯୋଗକୁ ସେମାନେ ହାତଛଡା କରିବାକୁ କେବେ ହେଲେ ଚାହିଁବେ ନାହିଁ । ଅର୍ଶଦୀପ ସିଂ, ଆଭେଶ ଖାଁ, ବିଜୟକୁମାର ବୈଶକ ଓ ୟଶ ଦଲାଲ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ । ଏବେ ସୂର୍ଯ୍ୟକୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଦଳର ଅଭିଜ୍ଞ ଖେଳାଳି ସାଜିଛନ୍ତି । ସେମାନଙ୍କ ଉପରେ ନିଶ୍ଚିତ ଭାବେ ଗୁରୁ ଦାୟିତ୍ୱ ନ୍ୟସ୍ତ ରହିବ । ଅପରପକ୍ଷରେ ଟି୨୦ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ଦକ୍ଷିଣ ଆଫ୍ରିକା ନେବାକୁ ଚାହିଁବ ।

Comments are closed.