Latest Odisha News

ବିଜେଡିର ବିଜୁ ବିଜେପିର ମହତାବ !

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଲିଗାସିକୁ ନେଇ ରାଜନୀତି କରିଆସିଛି ବିଜେଡି। ଏବେ ହରେକୃଷ୍ଣ ମହତାବ ଲିଗାସିକୁ ନେଇ ଆଗକୁ ବଢିବ କି ବିଜେପି? ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ବଡ ଆକାରରେ ପାଳନ କରିବାକୁ ଯାଉଛନ୍ତି ବିଜେପି ସରକାର । ଆଧୁନିକ ଓଡିଶାର ନିର୍ମାତା କୁହାଯାଉଥିବା ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ବର୍ଷ ବ୍ୟାପି ପାଳନ କରିବା ସହ ଉତ୍ସବରେ ଓଡିଆ ଜାତିୟତାବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ପ୍ରଶ୍ନ ଉଠୁଛି, ମହତାବଙ୍କ ଜନ୍ମଜୟନ୍ତୀ ପାଳନ ସହ ବିଜେଡିର ବିଜୁ ଲିଗାସିକୁ କାଉଣ୍ଟର କରୁଛି କି ବିଜେପି?

ମହତାବଙ୍କ ଜୟନ୍ତୀ ପଛରେ ବଡ ପ୍ଲାନ୍ !

ନଭେମ୍ବର ୨୧ରୁ ୨୩ତାରିଖ ଯାଏଁ ପାଳନ ହେବ ରାଜ୍ୟସ୍ତରୀୟ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ମହତାବଙ୍କ ଉପରେ ବାୟୋପିକ ନିର୍ମାଣ କରି ସ୍କୁଲ, କଲେଜ ଓ ୟୁନିଭର୍ସିଟିରେ ପ୍ରଦର୍ଶିତ ହେବ । ୩ଦିନ ଧରି ମହତାବଙ୍କ କୃତି ସଂପର୍କରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ମହତାବଙ୍କ ଜନ୍ମସ୍ଥାନ ଭଦ୍ରକ ଅଗରପଡାରେ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା ସହ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ । ତେବେ ପ୍ରଶ୍ନ ଉଠୁଛି, ମହତାବଙ୍କ ଲିଗାସିକୁ ନେଇ କାହିଁକି ଆଗକୁ ବଢିବାକୁ ଚାହୁଁଛି ବିଜେପି? ଗତ ନିର୍ବାଚନରେ ଓଡିଆ ଅସ୍ମିତା ପିଚରେ ବିଜେଡିକୁ ମାତ୍ ଦେଇଥିଲା ବିଜେପି । ଏବେ ଅସ୍ମିତାର ପ୍ରତୀକ ଭାବେ ମହତାବଙ୍କ ଲିଗାସିକୁ ଆଗକୁ ବଢାଇ ମାଇଲେଜ ନେବାକୁ ଚାହୁଁଛି ।

ବିଜୁ ବନାମ ହରେକୃଷ୍ଣ

ସ୍ବର୍ଗତ ବିଜୁବାବୁଙ୍କ ନାଁରେ ହିଁ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁବାବୁଙ୍କ ପ୍ରତି ଭଲ ପାଇବାକୁ ନେଇ ତାଙ୍କ ପୁଅ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୨୪ବର୍ଷ ଧରି କ୍ଷମତାରେ ବସାଇଥିଲେ ଓଡିଶାବାସୀ । ବିଜେଡିର ବିଭିନ୍ନ ଲୋକପ୍ରିୟ ଯୋଜନା ବି ବିଜୁବାବୁଙ୍କ ନାଁରେ ରହିଛି । ବିଜୁବାବୁଙ୍କ ଲିଗାସିରୁ ରାଜନୈତିକ ମାଇଲେଜ୍ ନେଇଛି ବିଜେଡି । ବିଜୁଙ୍କ ନାଁରେ ସମର୍ଥନ ବି ପାଇଛି ଆଉ ଭୋଟ ବି। ତେବେ ବିଜେପି ପାଖରେ ସେଭଳି କୌଣସି ବରପୁତ୍ରଙ୍କ ଲିଗାସି ନଥିଲା । ଆଉ ସେ ଶୂନ୍ୟସ୍ଥାନ ପୂରଣ କରିବେ ହରେକୃଷ୍ଣ ମହତାବ । ବିଜୁ ପଟ୍ଟନାୟକଙ୍କ ପରି ହରେକୃଷ୍ଣ ମହତାବ ବି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ । ମହତାବ କଂଗ୍ରେସ ନେତା ଭାବେ ରାଜନୀତି ଆରମ୍ଭ କରିଥିଲେ ବି ପରେ ଇନ୍ଦିରା ଗାନ୍ଧୀଙ୍କ ଏମର୍ଜେନ୍ସିକୁ ବିରୋଧ କରି ଜେଲ୍ ଯାଇଥିଲେ। ଯାହା ମହତାବଙ୍କୁ ବିଜେପି ଲାଇନର ରାଜନୀତିରେ ଭଲଭାବେ ଫିଟ୍ କରୁଛି । ବିଜୁବାବୁଙ୍କୁ ନେଇ ଜନତାଙ୍କ ଇମୋସନର ଫାଇଦା ବିଜେଡି ନେଉଥିବା ବେଳେ ମହତାବଙ୍କ ନାଁରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ପ୍ଲାନ୍ କରୁଛି ବିଜେପି ।

ଅସ୍ମିତା ପିଚରେ ମହତାବଙ୍କ ଲିଗାସି

ହରେକୃଷ୍ଣ ମହତାବ ୨୬ଟି ଓଡିଆ ଭାଷାଭାଷୀ ଗଡଜାତ ମିଶ୍ରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସହଯୋଗ କରିଥିଲେ । ଅସ୍ପୃଶ୍ୟତା ଓ ଜାତିବାଦ ବିରୋଧରେ ଲଢିଥିବା ମହତାବଙ୍କ ଲିଗାସି ଓଡିଆ ଅସ୍ମିତା ପ୍ରତିଷ୍ଠା ଦିଗରେ ବଡ ପଦକ୍ଷେପ ଭାବେ ଦେଖାଯାଏ । ୨୦୨୧ରେ ହିଁ ମହତାବଙ୍କ ବହି ଓଡିଆ ଇତିହାସର ହିନ୍ଦୀ ଅନୁବାଦ ବହି ଉନ୍ମୋଚନ କରିବା ସହ ଉତ୍କଳ କେଶରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ମହତାବ । ପରେ ସେ କଟକରୁ ବିଜେପି ଟିକେଟରେ ସାଂସଦ ନିର୍ବାଚିତ ହୋଇଛନ୍ତି । ଏହାପରେ ମହତାବଙ୍କ ଲିଗାସିକୁ ନେଇ ଓଡିଆ ଅସ୍ମିତା ପିଚରେ ନୂଆ ଧାରା ସୃଷ୍ଟି କରିବାକୁ ଯାଉଛି ବିଜେପି । ବିଜେଡିର ୨୪ବର୍ଷର ଶାସନରେ ପୂର୍ଣ୍ଣଚ୍ଛେଦ ପକାଇଥିବା ଅସ୍ମିତା ନାରାକୁ ମହତାବଙ୍କ ଜନ୍ମଜୟନ୍ତୀ ପାଳନ ମାଧ୍ୟମରେ ପୁଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରୁଛି । ବିଜୁବାବୁଙ୍କ ଲିଗାସିର ଫାଇଦା ଯେଉଁଭଳି ବିଜେଡି ନେଇଛି, ସମାନ ଢଙ୍ଗରେ ରାଜନୀତିରେ ମାଇଲେଜ ନେବାକୁ ବଡ ଗୋଟି ଚଳାଇଛି ।

Leave A Reply

Your email address will not be published.