ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ନୀତି । ଏନେଇ ଯୋଜନା କରୁଛନ୍ତି ସରକାର। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଆଣିବେ ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରହିବ। ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ସରକାରଙ୍କ ବିନାନୁମତିରେ ଅନେକ ସମୟରେ ରାସ୍ତାରେ କେବୁଲ ବିଛାଇବା, ଡ୍ରେନ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ରାସ୍ତା ଖୋଳିଥାନ୍ତି। ଏହି ଘଟଣାର ନିରାକରଣ ପାଇଁ ସେଭଳି ସଂସ୍ଥା ବିରୋଧରେ ଜରିମାନା ଲାଗୁ ନେଇ ନୀତିରେ ଉଲ୍ଲେଖ ରହିବ ବୋଲି ଜାଣିବାକୁ ମିଳିଛି।

ଏହାସହିତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଖାଲି ଥିବା ପଦବି ପୂରଣ ଓ ରାସ୍ତା ନିର୍ମାଣ ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ସହିତ ପୂର୍ତ୍ତ, ଗ୍ରାମ୍ୟ ବିକାଶ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧିନରେ ଅନେକଗୁଡ଼ିକ ରାସ୍ତା ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ଅନେକ ସମୟରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ସମସ୍ୟା ଦେଖାଦେଇଥାଏ। ତେଣୁ ଏହାର ନବୀକରଣ କରାଯିବା ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏକ ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ।

ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ରୋଡମ୍ୟାପ ସହିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ କରାଯିବ।  ସେହିପରି ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ନିୟମ ପ୍ରଣୟନ କରାଯିବ।