ଭୁବନେଶ୍ୱର: କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫ୍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ସମ୍ମାନ’ ପ୍ରଦାନ କରାଯାଇଛି। ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଭଲିବଲ୍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ପ୍ରଦାନ ସମାରୋହରେ ୨୨୨ଟି ଦେଶରୁ ଆସିଥିବା ଭଲିବଲ୍ ସଂଘର ସଭାପତି ତଥା ଅନ୍ୟାନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏଫ୍ଆଇଭିବି ସଭାପତି ଡ. ଆରି ଗ୍ରାସା ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ନିକଟରେ ଗ୍ରାସା କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏଫ୍ଆଇଭିବି ଗ୍ରାଣ୍ଡ କ୍ରସ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ପରେ ୩୯ତମ ଏଫ୍ଆଇଭିବି ବିଶ୍ୱ କଂଗ୍ରେସ ଚାଲିଥିବା ବେଳେ ଏଫ୍ଆଇଭିବି ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇ ସମ୍ମାନୀତ କରାଯାଇଥିଲା। ସୂଚନାଯୋଗ୍ୟ ଗ୍ରାଣ୍ଡ କ୍ରସ୍ ସମ୍ମାନ ହେଉଛି ଏଫ୍ଆଇଭିବିର ସର୍ବୋଚ୍ଚ ସମ୍ମାନ।
ଏନେଇ ସେ କହିଛନ୍ତି ଯେ ୨୨୨ଟି ଦେଶର ପ୍ରତିନିଧିଙ୍କ ମଧ୍ୟରୁ ମୋତେ ଚିହ୍ନଟ କରି ଏଫ୍ଆଇଭିବିର ଅନୁମୋଦନ ପରେ ଏହାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ଋଣୀ। ଏହାର ଶ୍ରେୟ ସେ ଭଗବାନଙ୍କୁ ଦେଇଛନ୍ତି । ଏହା ସହିତ ଏହି ସମ୍ମାନକୁ ସେ ଭାରତର ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତ୍ ଓ ବିଶେଷ କରି ଓଡ଼ିଶାର କ୍ରୀଡ଼ା ଓ କ୍ରୀଡ଼ାବିତ୍ ତଥା କିଟ୍ ଓ କିସ୍କୁ ଉତ୍ସର୍ଗ କରିଛନ୍ତି।
Comments are closed.