ନୂଆଦିଲ୍ଲୀ: ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଅଧୀନରେ ଷ୍ଟେଜ୍ ୪ ପ୍ରଦୂଷଣକୁ କଡାକଡି ଲାଗୁ କରିବା ପାଇଁ ତୁରନ୍ତ ଏକ ଟିମ ଗଠନ କରିବାକୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ-ଏନସିଆର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍) ୪୫୦ରୁ ତଳକୁ ଖସିଲେ ମଧ୍ୟ ଉକ୍ତ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଜିଆର୍ଏପି ୪ ପର୍ଯ୍ୟାୟ କଟକଣା ଉଲ୍ଲଂଘନ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ କହିଛନ୍ତି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବାରେ ବିଳମ୍ବ ପ୍ରକାଶ କରି କୋର୍ଟ କହିଛନ୍ତି ଯେ ସମସ୍ତ ନାଗରିକ ପ୍ରଦୂଷଣମୁକ୍ତ ପରିବେଶରେ ରହିବା ନିଶ୍ଚିତ କରିବା ଉଭୟ କେନ୍ଦ୍ର ତଥା ରାଜ୍ୟର ସାମ୍ବିଧାନିକ କର୍ତ୍ତବ୍ୟ।
ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀ-ଏନ୍ସିଆର୍ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରିଥିବାରୁ ଜଷ୍ଟିସ୍ ଅଭୟ ଏସ୍. ଓକା ଏବଂ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଆର୍ଏପିର ବିଭିନ୍ନ ପର୍ଯ୍ୟାୟ ଲାଗୁ କରିବାରେ କାହିଁକି ବିଳମ୍ବ ହେଲା ବୋଲି ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍)ଙ୍କୁ ପ୍ରଶ୍ନ କରିଛନ୍ତି।
ସୋମବାରଠାରୁ ଜିଆର୍ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିବାରୁ ଏକ୍ୟୁଆଇ ବିପଜ୍ଜନକ ସ୍ତରରେ ପହଞ୍ଚିବା ମାତ୍ରେ ଏହା ଲାଗୁ କରାଯିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଥିଲେ। ୪୦୦ ମଧ୍ୟରେ ପହଞ୍ଚତ୍ବା ପରେ ଜିଆର୍ଏପିର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯିବା କଥା। ପ୍ରଦୂଷଣ ରୋକିବା ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ଏନ୍ସିଆର୍ ରାଜ୍ୟଗୁଡ଼ିକୁ କହିଛନ୍ତି।
Comments are closed.