Latest Odisha News

ନୂଆଦିଲ୍ଲୀକୁ ଦେଶର ରାଜଧାନୀ କୁହାଯିବା ଉଚିତ୍ କି? ପ୍ରଶ୍ନ କଲେ ଶଶି…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ, ଏବେ ପାଲଟିଛି ମରଣଯନ୍ତା । ବାହାରକୁ ବାହାରିବାକୁ ଲୋକେ ଡରୁଛନ୍ତି । ସ୍ମୁଲ ବନ୍ଦ । ଟ୍ରେନ୍, ବସ୍, ବିମାନ ସେବା ସବୁ ବାଧାପ୍ରାପ୍ତ । ନାହିଁନଥିବା ଅସୁବିଧାରେ ଯୁଝୁଛନ୍ତି ଦିଲ୍ଲୀବାସୀ । ପ୍ରଦୂଷଣର ପାରା ନିୟନ୍ତ୍ରଣ ବାହାରେ । ଏଭଳି ସ୍ଥଳରେ କ’ଣ ଦିଲ୍ଲୀକୁ ଏବେ ବି ଜାତୀୟ ରାଜଧାନୀର ମାନ୍ୟତା ଦେବା ଉଚିତ୍ କି? କିଛି ଏମିତି ପ୍ରଶ୍ନ ଏବେ ଉଠାଇଛନ୍ତି ସାଂସଦ ଶଶି ଥରୁର ।

କଂଗ୍ରେସ ନେତା ତଥା ଥରୁଅନନ୍ତମପୁରମ୍ ସାଂସଦ ଶଶି ଥରୁର ଦିଲ୍ଲୀରେ ବଢୁଥିବା ଭୟଙ୍କର ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଜାରି କରି ଥରୁର କହିଛନ୍ତି, ଦିଲ୍ଲୀର ପାଣିପବନ ଏବେ ଦୁନିଆର ଦ୍ବିତୀୟ ପ୍ରଦୂଷିତ ସହର ଢାକାଠାରୁ ବି ୫ ଗୁଣା ଅଧିକ ପ୍ରଦୂଷିତ ହୋଇଗଲାଣି । ନଭେମ୍ବରରୁ ଜାନୁଆରୀ ତିନି ମାସ ପର୍ଯ୍ୟନ୍ତ ନିର୍ଜନ ହୋଇଯାଉଛି ଦିଲ୍ଲୀ ସହର । ଏଠି ରହିବା ଦିନକୁ ଦିନ ମୁସ୍କିଲ୍ ହେବାରେ ଲାଗିଲାଣି । ଆଉ ଆମ ସରକାର ଖାଲି ବର୍ଷ ବର୍ଷ ଧରି ସ୍ବପ୍ନ ଦେଖୁଛି, ହେଲେ ଏହାକୁ ନେଇ କିଛି କରିପାରୁନାହାନ୍ତି । ଏବେ ତ ସନ୍ଦେହ ଲାଗିଲାଣି, କ’ଣ ଦିଲ୍ଲୀକୁ ଏବେ ଦେଶର ରାଜଧାନୀ କହିବା ଉଚିତ୍ ହେବ? ବୋଲି ପ୍ରଶ୍ନ କରିଛନ୍ତି ଶଶି ।

ତେବେ ପୁର୍ବରୁ ମଧ୍ୟ ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି ଶଶି । ଏହି ମାସ ଆରମ୍ଭରୁ ଯେତେବେଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୨ ଛୁଇଁଥିଲା, ସେତେବେଳେ ଏହାକୁ ନେଇ ବ୍ୟାଙ୍ଗାତ୍ମକ କଟାକ୍ଷ କରିଥିଲେ । ଯେଉଁଥିରେ ଚାନ୍ଦିନୀ ଚୌକକୁ ଚାନ୍ଦିନୀ ଚୋକ୍(ଶ୍ବାସରୁଦ୍ଧ) ଏବଂ ଧୋଲା କୁଆଁକୁ ଧୂଆଁ କୁଆଁ ବୋଲି ସମ୍ଭୋଧନ କରିଥିଲେ ଶଶି ।

ତେବେ କହିରଖୁଚୁ, ଜାତୀୟ ରାଜଧାନୀ ଦିଲ୍ଲୀର ପାଣିପବନ ଏବେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି । ବାୟୁର ଗୁଣବତ୍ତା ୫୦୦ ଛୁଇଁଥିବା ବେଳେ ଏହାକୁ ନେଇ ଆସନତା ୨୩ ତାରିଖ ଯାଏଁ ସ୍କୁଲ, କଲେଜ ସବୁ ବନ୍ଦ ରହିଥିବା ବେଳେ ଅନଲାଇନରେ ଚାଲିଛି ପାଠପଢା । ଏଥିସହିତ ୧୫ରୁ ଅଧିକ ବିମାନ ମାର୍ଗ ପରିବର୍ତ୍ତନ କରି ଉଡାଣ ଭରୁଥିବା ବେଳେ ୧୦୦ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରୁଚନ୍ତି । ଯାହାକୁ ନେଇ ଅଧିକାରୀ କହିଛନ୍ତି, ଦିଲ୍ଲୀରେ ପାଣିପାଗ ଖରାପ କାରଣରୁ ଦୃଶ୍ୟତା କମିଯାଉଛି । ଯେଉଁକାରଣରୁ ବିଳମ୍ବରେ ଯାତ୍ରା ଆରମ୍ଭ କରୁଛି ବିମାନ ।

Leave A Reply

Your email address will not be published.