ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେବେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେ ତାଙ୍କର ପୁରାତନ ବନ୍ଧୁଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି।
କୀର୍ତ୍ତି ସୁରେଶ ୨୦୦୦ ମସିହାରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ସେ କିଛି ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି।
ତେବେ ୨୦୧୫ରେ କୀର୍ତ୍ତି ତାମିଲ ଫିଲ୍ମ “ଇଟ୍ଟୁ ଏନ୍ନା ମୟମ” ରୁ ଅଭିନେତ୍ରୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।
କୀର୍ତ୍ତି ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ‘ଭୈରବ’, ‘ରଜନୀ ମୁରୁଗନ୍’, ‘ମହାନତୀ’, ‘ସରକାର’ ଏବଂ ‘ଅନ୍ନଥା’ ଭଳି ସୁପରହିଟ୍ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
କୀର୍ତ୍ତି ସୁରେଶ ବର୍ତ୍ତମାନ ହିନ୍ଦୀ ସିନେମା ଜଗତରେ ପାଦ ରଖିବାକୁ ଯାଉଛନ୍ତି। ତାମିଲ ଚଳଚ୍ଚିତ୍ର ‘ଥେରି’ର ହିନ୍ଦୀ ରିମେକ୍ “ବେବି ଜନ୍” ରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ଏହା ମଧ୍ଯରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ସାମ୍ନାକୁ ଆସିଥିବା ବେଳେ ତାଙ୍କ ପରିବାର ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
ତେବେ ସୋସିଆଲ ମିଡିଆର ତଥ୍ଯ ଅନୁଯାୟୀ କୀର୍ତ୍ତି ସୁରେଶଙ୍କ ବିବାହ ଗୋଆରେ ଡିସେମ୍ବର ୧୧ ଓ ୧୨ରେ ହେବାକୁ ଯାଉଛି। ତାଙ୍କ ଭାବି ସ୍ବାମୀଙ୍କ ନାମ ଆନ୍ଟୋନି ଥୈଟଲ ଯିଏ କି କେରଳର ବାସିନ୍ଦା ଅଟନ୍ତି। ସେ ଦୁବାଇରେ ରୁହନ୍ତି। ତେବେ ରିପୋର୍ଟ ଅନୁଯାୟୀ କୀର୍ତ୍ତି ଏବଂ ଆନ୍ଟୋନି ପରସ୍ପରକୁ ପ୍ରାୟ ୧୫ ବର୍ଷ ଧରି ଡେଟ କରି ଆସୁଥିଲେ। ଏହି ଦମ୍ପତି ନିଜ ସମ୍ପର୍କକୁ ଆଜି ଯାଏଁ ସାର୍ବଜନୀନ କରିନାହାଁନ୍ତି। ଏହି ବିଶେଷ ଉତ୍ସବରେ କେବଳ ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରାଯିବ।