Latest Odisha News

BREAKING NEWS

ଭାରତୀୟ ସେନାରେ ଇତିହାସ ପାଲଟିବ ‘ଗୋର୍ଖା ବାହିନୀ’!

ନୂଆଦିଲ୍ଲୀ: ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ ତବେ ସିଇ ମିଛ କହୁଛି କିମ୍ବା ସେ ଜଣେ ନିଶ୍ଚିତ ଭାବେ ଗୋର୍ଖା ହୋଇଥିବ । ୧୮୧୪ରେ ନେପାଳର ଗୋର୍ଖା ବାହିନୀ ସହ ଇଂରେଜ ସେନାର ଭୟଙ୍କର ଲଢେଇ ହୋଇଥିଲା । ଆଉ ସେହି ଦିନ ନେପାଳୀମାନେ କେତେ ବୀର ଓ ଦୁର୍ଦ୍ଧଷ ତାହା ଦେଖିଥିଲେ ଇଂରେଜ ।

ହେଲେ ଧୀରେ ଧୀରେ ଗୋର୍ଖାଙ୍କ ସଂଖ୍ୟା କମୁଥିବାରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋର୍ଖା ରେଜିମେଣ୍ଟ ଇତିହାସ ପାଲଟିବାର ଆଶଙ୍କା ସୃଷ୍ଟି ହେଲାଣି । ଏହା ସହ ଅଗ୍ନିପଥ ସ୍କିମ ଆରମ୍ଭ ହେବା ପରଠାରୁ ଜଣେ ହେଲେ ବି ଗୋର୍ଖା ସେନାବାହିନୀରେ ଭର୍ତ୍ତି ହେବାକୁ ଆଗ୍ରହ ଦେଖାଉ ନାହାନ୍ତି । ଗତ ୩ ଥରର ନିଯୁକ୍ତି ପ୍ରକ୍ରିୟାରେ ନେପାଳୀ ଗୋର୍ଖା ସେନା ବାହିନୀରେ ଭର୍ତ୍ତି ହୋଇନାହାନ୍ତି ।

ଯେତେବେଳେ ଭାରତୀୟ ସେନାର ଗୋର୍ଖା ରେଜିମେଣ୍ଟ କଥା ଆସେ ସେତେବେଳେ ଏକ ବାହାଦୂର ସେନା କଥା ଆମ ମନକୁ ଆସିଥାଏ । ଏହି ରେଜିମେଣ୍ଟ ବିଶ୍ୱର ଏକମାତ୍ର ନିଆରା ରେଜିମେଣ୍ଟ ଯେ କି କେବଳ ଭାରତ ନୁହେଁ ବରଂ ୩ ଦେଶର ସେନାବାହିନୀରେ ନିଜର ବାହାଦୂରୀ ପ୍ରଦର୍ଶନ କରିଥାଏ । ଭାରତୀୟ ସେନା ସହ ଗୋର୍ଖା ରେଜିମେଣ୍ଟର ସଂପର୍କ ୨୦୦ ବର୍ଷରୁ ଅଧିକ ପୁରୁଣା । ସବୁଠାରୁ ଅଧିକ ଗୋର୍ଖା ଭାରତୀୟ ସେନାରେ ରହିଛନ୍ତି ।

ଏହାପରେ ନେପାଳ ଓ ତୃତୀୟ ସ୍ଥାନରେ ବ୍ରିଟିଶ ସେନାରେ ଗୋର୍ଖା ରେଜିମେଣ୍ଟ ରହିଛି । ଭାରତୀୟ ସେନାର ପରିସଂଖ୍ୟାନ ମୁତାବକ ଆଗାମୀ ୧୦ ବର୍ଷ ମଧ୍ୟରେ ଗୋର୍ଖା ରେଜିମେଣ୍ଟରେ ଜଣେ ବି ନେପାଳୀ ଗୋର୍ଖା ନଥିବେ । କାରଣ ନେପାଳ ନିଜର ଗୋର୍ଖା ଭାରତୀୟ ସେନାକୁ ପଠାଇବା ବନ୍ଦ କରିଦେଇଛି । ଅନ୍ୟପଟେ ସେମାନଙ୍କୁ ଚୀନ ତା’ର ସେନାରେ ଭର୍ତ୍ତି କରିବା ପାଇଁ ଚେଷ୍ଟା ଚଳାଇଛି ।

୨୦୨୪ ଜୁନ୍‌ ୧୪ରେ ଅଗ୍ନିପଥ ସ୍କିମ୍ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନା ଅନୁସାରେ ସେନାରେ ନିଯୁକ୍ତି ଅସ୍ଥାୟୀ ହୋଇଗଲା । ଅର୍ଥାତ ପୂର୍ବଭଳି ସୁବିଧା ସୁଯୋଗ ଆଉ ସେନା ନିଯୁକ୍ତିରେ ରହିଲା ନାହିଁ । ବିନା ପେନସନ୍‌ ଓ ଗ୍ରାଚ୍ୟୁଟିରେ ନିଯୁକ୍ତି ପାଇଁ ନେପାଳ ତା’ର ଯୁବକଙ୍କୁ ଅନୁମତି ଦେଲା ନାହିଁ । ଜୁଲାଇ ୨୨ରେ ନେପାଳରେ ନିଯୁକ୍ତି ରାଲି ପାଇଁ ଭାରତୀୟ ସେନା ନେପାଳ ସରକାରଙ୍କୁ ଅନୁମତି ମାଗିଥିଲେ ମଧ୍ୟ ନେପାଳ ସରକାର ଅନୁମତି ଦେଇନଥିଲେ ।

ଏହା ପରେ ନେପାଳରେ ନୂଆ ସରକାର ଆସିଥିଲେ ମଧ୍ୟ ଭାରତୀୟ ସେନାରେ ନେପାଳର ଯୁବକମାନଙ୍କ ନିଯୁକ୍ତି ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପରିକି ଏ ସମ୍ପର୍କରେ କିଛି ଚର୍ଚ୍ଚା ବି ହୋଇନଥିବା ସୂଚନା ମିଳିଛି ।

ଏକ ରିପୋର୍ଟ ମୁତାବକ, ବ୍ରିଟେନ ବି ନିଜର ରୟାଲ ଗୋର୍ଖା ନାମରେ ଏକ ରେଜିମେଣ୍ଟ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି । ବ୍ରିଟେନ ପାଖରେ ପ୍ରଥମରୁ ଭାରତୀୟ ଗୋର୍ଖା ରେଜିମେଣ୍ଟ ରହିଛି । ଏକ ରିପୋର୍ଟ ମୁତାବକ ଭାରତୀୟ ରେଜିମେଣ୍ଟରେ ଏବେ ୬ ରୁ ୮ ହଜାର ନେପାଳୀ ଗୋର୍ଖା କମ୍ ଅଛନ୍ତି । ଏବେ ଭାରତୀୟ ସେନାର ମୁଖ୍ୟ ଜେନରାଲ ଉପେନ୍ଦ୍ର ଦ୍ୱିବେଦୀ ନେପାଳ ଗସ୍ତରେ ଯାଇପାରନ୍ତି । ଦ୍ୱିବେଦୀଙ୍କ ନେପାଳ ଗସ୍ତ ବେଳେ ଏହା ଉପରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ସମସ୍ତଙ୍କର ନଜର ରହିଛି ।

Leave A Reply

Your email address will not be published.