ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ସାଉଦି ଆରବର ଜେଦାହରେ ଆୟୋଜିତ ହେବ । ଏହା ପୂର୍ବରୁ ଫ୍ରାଂଚାଇଜରମାନେ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରି ସାରିଛନ୍ତି । ରିଷଭ ପନ୍ତ ଓ ଶ୍ରେୟାଶ ଆୟାରଙ୍କ ଏଥର ନିଲାମରେ ବେଶ ଚାହିଦା ରହିବ ବୋଲି ଅନୁମାନ କରାଯାଉଛି । ପନ୍ତଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ଉଇକେଟ କିପିଂ ଦକ୍ଷତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରୁଛି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ରିଟେନ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ଚାମ୍ପିୟନ କେକେଆର ମଧ୍ୟ ଶ୍ରେୟାଶଙ୍କୁ ରିଟେନ କରି ନାହିଁ । ଉଭୟ ଖେଳାଳି ୨୫ କୋଟି ମାର୍କ ଛୁଇଁବେ ବୋଲି ଆଶା କରାଯାଉଛି ।
ଆଇପିଏଲ ୨୦୨୪ରେ ମିଚେଲ ଷ୍ଟାର୍କଙ୍କୁ କେକେଆର ୨୪.୭୫ କୋଟିରେ କିଣି ରେକର୍ଡ କରିଥିଲା । ଇଂଲଣ୍ଡର ଜୋସ ବଟଲର ଓ କେଏଲ ରାହୁଲଙ୍କୁ ନେବା ପାଇଁ ପ୍ରାଂଚାଇଜରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ମହମ୍ମଦ ସାମୀଙ୍କୁ ନେବା ପାଇଁ ଅଧିକାଂଶ ଟିମ ଆଗ୍ରହୀ ଥିଲେ ମଧ୍ୟ ବାରମ୍ବାର ଆଘାତ ସମସ୍ୟା ତାଙ୍କୁ ଅସୁବିଧାରେ ପକାଇପାରେ ବୋଲି ଅନୁମାନ କରାଯାଉଛି । ଏବେ ସେ ନିଜକୁ ଫିଟ ଘୋଷିତ କରିଥିବାରୁ ତାଙ୍କୁ ନେବା ପାଇଁ ୨/୩ଟି ଟିମ ବେଶ ଆଗ୍ରହୀ ଅଛନ୍ତି ।