Latest Odisha News

ମହାରାଷ୍ଟ୍ର ପାଇଁ ମୁମ୍ବାଇ ଗେଟ୍-ଓ୍ବେ

ନୂଆଦିଲ୍ଲୀ: ମୁମ୍ବାଇ ହାତରେ ମହାରାଷ୍ଟ୍ର କ୍ଷମତାର ଚାବି । କିଛି ବର୍ଷ ଧରି ମହାରାଷ୍ଟ୍ରର ଇତିହାସରୁ ସ୍ପଷ୍ଟ, ଯିଏ ମୁମ୍ବାଇ ଜିତିଛି ମହାରାଷ୍ଟ୍ରରେ ସିଏ ଶାସନ କରିଛି । ସେଥିପାଇଁ ମୁମ୍ବାଇରେ ବିଜେପି ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ମୁମ୍ବାଇରେ ଦୁର୍ବଳ ହେବା ସହ କଂଗ୍ରେସ କ୍ଷମତାରୁ ବିଦା ହୋଇଛି ତ ମୁମ୍ବାଇରେ ନିଜର ଜନାଧାର ତିଆରି କରିନପାରିବାରୁ ଶରଦ ପାଓ୍ବାର କି ଅଜିତ ପାଓ୍ବାର ମହାରାଷ୍ଟ୍ରର ସ୍ବାଭାବିକ ଦାବେଦାର ହୋଇ ପାରିନାହାନ୍ତି । ମହାରାଷ୍ଟ୍ରରେ କ୍ଷମତା ହାସଲ ପାଇଁ ମୁମ୍ବାଇର ୩୬ ବିଧାନସଭା ସିଟର ଅନେକ ଗୁରୁତ୍ବ ରହିଛି । ଗତ ୪୬ବର୍ଷର ରାଜନୈତିକ ଇତିହାସ କହୁଛି, ଯେଉଁ ଦଳ ବା ମେଣ୍ଟ ମୁମ୍ବାଇରେ ଅଧିକ ସିଟ୍ ଜିତିଛି, ସିଏ ହିଁ ମହାରାଷ୍ଟ୍ର ଗାଦିରେ ବସିଛି ।

୯୦ ଦଶକରେ ମୁମ୍ବାଇ ରାଜନୀତି

୧୯୭୮ ମସିହାରେ ଜନତା ପାର୍ଟିର ସର୍ବାଧିକ ବିଧାୟକ ଜିତିଥିବା ବେଳେ ସେମାନଙ୍କୁ ନେଇ ମହାରାଷ୍ଟ୍ରରେ ପୁରୋଗାମୀ ଲୋକସାହି ଦଳ ସରକାର ଗଠନ କରିଥିଲା । ପୁଣି ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ମୁମ୍ବାଇର କିଙ୍ଗ ପାଲଟିଲା କଂଗ୍ରେସ । ଆଉ ସେଥିପାଇଁ ମହାରାଷ୍ଟ୍ରରେ କ୍ଷମତାରେ ରହିଥିଲା ଦଳ । ତେବେ ୯୦ ଦଶକରେ ଶିବସେନା ଓ ବିଜେପି ମେଣ୍ଟ କଂଗ୍ରେସକୁ ଚ୍ୟାଲେଞ୍ଜ କରିବା ସହ ମୁମ୍ବାଇରେ କବଜା କରିବା ଆରମ୍ଭ କଲେ । ୧୯୯୫ ମସିହାରେ ଶିବସେନା-ବିଜେପି ମହାରାଷ୍ଟ୍ରରେ କ୍ଷମତାକୁ ଆସିଲେ । ଆଉ ସେଥିପାଇଁ ମୁମ୍ବାଇ ହିଁ ସାଜିଥିଲା ଗେଟ-ଓ୍ବେ ।

୨୦୧୪ରେ ବଦଳିଲା ସମୀକରଣ

୧୯୯୯ରେ ବି ମୁମ୍ବାଇରେ ଶିବସେନା ଓ ବିଜେପି ମେଣ୍ଟର ଦବଦବା ରହିଥିଲା । ତେବେ ୨୦୦୪ ଓ ୨୦୦୯ରେ ବଦଳିଲା ସମୀକରଣ । କ୍ଷମତାକୁ ଆସିବାକୁ କଂଗ୍ରେସର ବାଟ ସାଜିଲା ମୁମ୍ବାଇ । ସେଠାରେ କଂଗ୍ରେସକୁ ସଫଳତା ମିଳିବା ସହ କ୍ଷମତାକୁ ଆସିଥିଲା କଂଗ୍ରେସ ଓ ଏନସିପି ମେଣ୍ଟ ସରକାର । ୨୦୧୪ରେ ବିଜେପି ଏକାକୀ ନିର୍ବାଚନ ଲଢି କ୍ଷମତାକୁ ଆସିଥିଲା । ସେତେବେଳେ ବି ବିଜେପି ପାଇଁ ଶୁଭ ଖବର ଆଣିଥିଲା ମୁମ୍ବାଇ ଫଳାଫଳ । ୨୦୧୯ରେ ମୁମ୍ବାଇରେ ସବୁଠୁ ଅଧିକ ସିଟ୍ ଜିତି ପ୍ରଥମେ ସରକାର ଗଠନ କରିଥିଲେ ବିଜେପି ଓ ଶିବସେନା । ତେବେ ପରେ ଉଭୟଙ୍କ ରାସ୍ତା ଅଲଗା ହେବା ସହ କ୍ଷମତା ବି ହାତରୁ ଯାଇଥିଲା ।

ସବୁ ଦଳର ଫୋକସରେ ମୁମ୍ବାଇ

ମହାରାଷ୍ଟ୍ରର କ୍ଷମତାର ଚାବି ରଖିଥିବା ମୁମ୍ବାଇର ୩୬ଟି ବିଧାନସଭା ସିଟ ଉପରେ ଏଥର ବି ସବୁ ଦଳର ଆଖି ରହିଛି । ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ମିଶି ମୁମ୍ବାଇରେ ବିଜେପି ଓ ସିନ୍ଦେଙ୍କ ଶିବସେନାକୁ କଡା ଟକ୍କର ଦେଉଛନ୍ତି । କ୍ଷମତା ଉପରେ କବଜା ପାଇଁ ଉଭୟ ମେଣ୍ଟ ଜୋରଦାର ଉଦ୍ୟମ କରୁଛନ୍ତି । ଦୃଢ ସଂଗଠନ ଉଦ୍ଧବଙ୍କ ଶିବସେନାର ବଳ ତ ପୂର୍ବ ବିଧାୟକ, ନଗର ସେବକ ଓ ପଦାଧିକାରୀଙ୍କୁ ନେଇ ବିଜୟର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏକନାଥ ସିନ୍ଦେ । ଗତ ଲୋକସଭା ନିର୍ବାଚନରେ ମୁମ୍ବାଇର ୬ ସିଟରୁ ଉଦ୍ଧବଙ୍କ ଶିବସେନାକୁ ୩ଟି ତ ସିନ୍ଦେଙ୍କୁ ଗୋଟିଏରେ ବିଜୟ ମିଳିଥିଲା । ସିନ୍ଦେଙ୍କ ଶିବସେନା ପ୍ରାର୍ଥୀ ରବୀନ୍ଦ୍ର ଓ୍ବାଏକର ମାତ୍ର ୪୮ଟି ଭୋଟରେ ଜିତିଥିଲେ । ଲୋକସଭା ନିର୍ବାଚନରେ ସିଟ୍ ସଂଖ୍ୟା ଦେଖିଲେ କେବଳ ମୁମ୍ବାଇରେ ଏମଭିଏ ୧୯ଟି ତ ମହାୟୁତି ୧୭ଟି ବିଧାନସଭା ସିଟରେ ଆଗୁଆ ରହିଥିଲା । ଏଥର ମୁମ୍ବାଇର ମୋଟ୍ ୩୬ଟି ସିଟ୍ ମଧ୍ୟରୁ ୧୧ଟି ସିଟରେ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ କଡା ମୁକାବିଲା ହେଉଛି । ମୁମ୍ବାଇ ଲଢେଇରେ ବାଜିରେ ଲାଗିଛି ଅସ୍ତିତ୍ବ ସାଙ୍ଗକୁ ରାଜନୈତିକ ଭବିଷ୍ୟତ ।

Leave A Reply

Your email address will not be published.