Latest Odisha News

ପ୍ରଥମାଷ୍ଟମୀ ଏବଂ ଏଣ୍ଡୁରୀ ପିଠା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର: ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ପରମ୍ପରାରେ ମାର୍ଗଶୀର ମାସ ଅଷ୍ଟମୀ ତିଥିରେ ଘରର ପ୍ରଥମ ପୁଅ ଝିଅଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହିଦିନ ମା’ମାନେ ଘରେ ନିଜର ପ୍ରଥମ ପୁଅ ଝିଅଙ୍କୁ ଠାକୁରଙ୍କ ଆଗରେ ବସାଇ ପୂଜାର୍ଚ୍ଚନା କରିଥାଆନ୍ତି। ଓଡ଼ିଆ ପରମ୍ପରା ଅନୁଯାୟୀ ଘରର ପ୍ରଥମ ପୁଅ ବା ଝିଅଙ୍କୁ ଘରର ସୌଭାଗ୍ୟ ବୋଲି ଗ୍ରହଣ କରାଯାଏ। ପିତାଙ୍କ ପରେ ଘରର ବଡ଼ପୁଅକୁ ଘରର ଉତ୍ତରାଧିକାରୀ ବୋଲି କୁହାଯାଏ। ତେଣୁ ପ୍ରଥମାଷ୍ଟମୀରେ ଘରର ପ୍ରଥମ ପୁଅଙ୍କୁ ପୂଜାର୍ଚ୍ଚନା କରାଯାଏ। ସେହିପରି ଘରର ଝିଅଙ୍କୁ ଘରର ସମ୍ମାନ କୁହାଯାଏ। ତେଣୁ ଝିଅଙ୍କୁ ବି ପୂଜା କରାଯାଏ।

ସକାଳୁ ସକାଳୁ ବଡ଼ ପୁଅ, ଝିଅଙ୍କୁ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ମାନେ ତାଙ୍କୁ ବନ୍ଦାପନା କରନ୍ତି। ନୂଆ ପୋଷାକରେ ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ’ କୁହାଯାଏ। ଶ୍ରୀମନ୍ଦିରରେ ବଡ ଠାକୁର ବଳଭଦ୍ର ମଧ୍ୟ ଆଜିର ଦିନରେ ‘ପଢୁଆଁ’ ହୋଇଥାନ୍ତି । ତେବେ ଏହି ଦିନରେ ଏକ ବିଶେଷ ପିଠା ଘରେ ଘରେ ପ୍ରସ୍ତୁତ କରାଯାଏ । ଏହାକୁ ଏଣ୍ଡୁରୀ ପିଠା କୁହାଯାଏ । ବିରି, ଚାଉଳ ବାଟି ସେଥିରେ ନଡିଆ, ଛେନା ଆଦି ପୁର ଦେଇ ହଳଦୀ ପତ୍ରରେ ପ୍ରସ୍ତୁତ କରାଯାଏ ଏହି ସ୍ଵତନ୍ତ୍ର ପିଠା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳି…

ଆବଶ୍ୟକ ସାମଗ୍ରୀ :
ଆବଶ୍ୟକ ଅନୁସାରେ ବିରି ଏବଂ ଅରୁଆ ଚାଉଳ
ଆବଶ୍ୟକ ଅନୁସାରେ ଗୁଜୁରାତି ଗୁଣ୍ଡ
ଅଳ୍ପ କିଛି ନଡିଆ ଓ ଛେନା
ସ୍ୱାଦ ଅନୁସାରେ ଚିନି ଓ ଲୁଣ
ଆବଶ୍ୟକ ଅନୁସାରେ ପାଣି
ଛୋଟ ପିସ୍‌ରେ କାଟା ହୋଇଥିବା ହଳଦୀ ପତ୍ର

ପ୍ରସ୍ତୁତ ପ୍ରଣାଳୀ :
ଏଣ୍ଡୁରୀ ପିଠା ତିଆରି କରିବା ପାଇଁ ବିରି ଓ ଅରୁଆ ଚାଉଳକୁ କିଛି ଘଣ୍ଟା ଭିଜାଇ ଦେବେ । ଏହା ପରେ ତାକୁ ଭଲ ଭାବେ ବାଟିଦିଅନ୍ତୁ । ଏହାପରେ ନଡିଆକୁ କୋରି ସେଥିରେ ଛେନା, ଗୁଡ, ଚିନିକୁ ଭଲ ଭାବେ ମିଶାଇ ପୂର ପ୍ରସ୍ତୁତ କରନ୍ତୁ । ସେହି ପୂରରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଭାଜି ଦେବେ ।

ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦେବେ । ତାପରେ ଏକ ମାଟି ହାଣ୍ଡିରେ କିଛି ପାଣି ଦେଇ ଚୁଲିରେ ବସାନ୍ତୁ । ଆପଣ ଚାହିଁଲେ ଇଟିଲି ଛାଞ୍ଚର ମଧ୍ୟ ବ୍ୟବହାର କରିପାରିବେ । ପାଣି ଫୁଟି ଆସିଲେ କାଟିକି ରଖିଥିବା ହଳଦୀ ପତ୍ରରେ ଆଣ ଦେଇ ସେଥିରେ ଭାଜିକି ରଖିଥିବା ପୂର ରଖି ସେହି ହଳଦୀ ପତ୍ରକୁ ଭଲ ଭାବେ ଘୋଡାଇ ଦେବେ । କିନ୍ତୁ ଧ୍ୟାନ ରଖିବେ ଯେପରି ହଳଦୀ ପତ୍ର ଟିକେ ବଡ ସାଇଜ୍‌ର କଟା ହୋଇଥିବ । ପ୍ରାୟ ୨୦ ମିନିଟ୍‌ ପ୍ରର୍ଯ୍ୟନ୍ତ କମ୍‌ ଆଞ୍ଚରେ ପିଠାକୁ ସିଝିବାକୁ ଛାଡି ଦେବେ । ପିଠା ଭଲ ଭାବେ ସିଝିଗଲେ ପ୍ଲେଟରେ ବାହାର କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ପ୍ରଥମାଷ୍ଟମୀ ସ୍ପେଶାଲ ସୁଆଦିଆ ଏଣ୍ଡୁରୀ ପିଠା ।

 

Leave A Reply

Your email address will not be published.