କୋଲକାତା: ଆଇପିଏଲ ୨୦୨୫ ମେଗା ନିଲାମରେ ଭାରତୀୟ ଖେଳାଳିଙ୍କ ଉପରେ ଫ୍ରାଂଚାଇଜମାନେ ସମ୍ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି । ଷ୍ଟାର ଅଲରାଉଣ୍ଡର ଭେଙ୍କେଟେଶ ଆୟାରଙ୍କୁ କୋଲକାତା ନାଇଟ ରାଇଡର୍ସ ୨୩.୭୫ କୋଟିରେ ନେଇଛି । କେକେଆର ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୨କୋଟି ବେସ ପ୍ରାଇସର ଏହି ଖେଳାଳିଙ୍କୁ ନେବା ପାଇଁ କେକେଆର ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା ।
ଭେଙ୍କେଟେଶ ଏଥିସହ ଆଇପିଏଲର ତୃତୀୟ ଦାମୀ ଭାରତୀୟ ଖେଳାଳି ହୋଇଛନ୍ତି । ପୂର୍ବରୁ କେକେଆର ୬ଜଣ ଖେଳାଳିଙ୍କୁ ରିଟେନ କରିଥିଲା । ରିଙ୍କୁ ସିଂ (୧୩କୋଟି), ବରୁଣ ଚକ୍ରବର୍ତି(୧୨), ସୁନୀଲ ନାରିନ( ୧୨), ଆନ୍ଦ୍ରେ ରସେଲ(୧୨), ହର୍ଷିତ ରାଣା(୪) ଓ ରମନଦୀପ ସିଂଙ୍କୁ ୪ କୋଟିରେ ଦଳ ରିଟେନ କରିଥିଲା । ଭେଙ୍କେଟେଶଙ୍କୁ ରିଟେନ କରାଯାଇ ନ ଥିବାରୁ ସେ ପୂର୍ବରୁ ନିରାଶ ବ୍ୟକ୍ତ କରିଥିଲେ । ଆଇପିଏଲ ୨୦୨୪ ଟାଇଟଲ ମୁକାବିଲାରେ ସେ ୫୨ ରନର ଚମତ୍କାର ଇନିଂସ ଖେଳିଥିଲେ ।
ସେ ୨୦୨୧ରେ ଆଇପିଏଲରେ ପଦାର୍ପଣ କରିଥିଲେ । ୫୦ ମ୍ୟାଚରେ ସେ ୧୩୨୬ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ । ପୂର୍ବରୁ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ୨୭ କୋଟିରେ ଏବଂ ଶ୍ରେୟାଶ ଆୟାରଙ୍କୁ ପଞ୍ଜାବ ୨୬.୭୫ କୋଟିରେ କ୍ରୟ କରିଛି ।