ହାଇଦ୍ରାବାଦ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ଘରେ ପୋଲିସ। ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ୍ ରାମ ଗୋପାଳ ଭର୍ମାଙ୍କ ହାଇଦ୍ରାବାଦର ଥିବା ଘରେ ପହଞ୍ଚିଥିଲା। କାରଣ ସେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ କଥା କହିଥିଲେ। ଏହି ମାମଲାରେ ପଚରାଉଚରା ପାଇଁ ରାମ ଗୋପାଳଙ୍କୁ ପୋଲିସ ନିକଟରେ ହାଜର ହେବାର ଥିଲା କିନ୍ତୁ ସେ ଯାଇ ନଥିଲେ।
ଏହି ମାମଲାରେ ପୋଲିସ ରାମ ଗୋପାଳଙ୍କ ଘରେ ପହଞ୍ଚିଥିଲା। ହେଲେ ନିର୍ଦ୍ଦେଶକଙ୍କ ସହିତ ଭେଟ ପାଇନଥିଲା। ଏହାପରେ ପୋଲିସ ରାମଙ୍କ ଘରର ଯାଞ୍ଚ ଆରମ୍ଭ କରିଥିଲା। କୁହାଯାଉଛି ଯେ ନିର୍ଦ୍ଦେଶକଙ୍କୁ ଏହି ଘଟଣାରେ ପୋଲିସ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। କାରଣ ତାଙ୍କୁ ଥାନାରେ ପହଞ୍ଚିବାକୁ ଦୁଇ ଦୁଇଥର ନୋଟିସ ହୋଇଥିବା ସତ୍ତ୍ବେ ସେ ପହଞ୍ଚି ନଥିଲେ। ଫିଲ୍ମ ‘ଭାୟୋହମ୍’ ସମୟରେ ରାମ ଗୋପାଳ ଭର୍ମା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, ଡେପୁଟି ସିଏମ ଏବଂ ମନ୍ତ୍ରୀ ଲୋକେଶଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବାକୁ ଦାବି କରିଛି।
ନଭେମ୍ବର ୧୧ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ରାମଲିଙ୍ଗମଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ ଯାଞ୍ଚ ଆରମ୍ଭ କରିଥିଲା। ଗତ ସପ୍ତାହରେ ରାମ ଗୋପାଳ ବର୍ମା ପୋଲିସ ସାମ୍ନାରେ ହାଜର ହେବାପାଇଁ ୪ଦିନର ସମୟ ମାଗିଥିଲେ। କିନ୍ତୁ ୪ଦିନ ବିତି ଯାଇଥିଲେ ବି ତାଙ୍କର କୌଣସି ଅତ୍ତାପତ୍ତା ନଥିଲା।