Latest Odisha News

ପନ୍ନୁନ୍ ସାମ୍ରାଜ୍ୟରେ ଓଡିଶାରୁ କିଏ? ଜଡ଼ି ଖୋଜୁଛି କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପରେ ଏବେ ସାମ୍ବାଦିକଙ୍କୁ ମିଳିଛି ଧମକ ପୂର୍ଣ୍ଣ ଇ-ମେଲ । ସବୁଠୁ ରୋଚକ ଏବଂ ଚାଞ୍ଚଲ୍ୟ ହେଉଛି ଏହି ଇ-ମେଲ ଉଭୟ ଇଂରାଜୀ ଏବଂ ଓଡିଆ ଲେଖାରେ ଆସିଛି । ପନ୍ନୁନ୍ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଲେଖାକୁ ନେଇ ଏବେ ସନ୍ଧେହ ବଢିଛି । ପନ୍ନୁନ୍ ସାମ୍ରଜ୍ୟରେ ଓଡିଶାରୁ କିଏ ? କେତେ ଯାଏଁ ଲମ୍ବିଛି ଏହି ଚେର ? କିଏ ସିଏ ଯିଏ ପ୍ରତି ମୁହୂର୍ତ୍ତରେ ଓଡିଶାରେ କ’ଣ ଘଟୁଛି ତାର ତଥ୍ୟ ପନ୍ନୁନ୍ ପାଖରେ ପହଞ୍ଚାଉଛି?

ଏମିତି ଅନେକ କିଛି ପ୍ରଶ୍ନ ଉତ୍ତର ଖୋଜିବା ପାଇଁ ଏବେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପନ୍ନୁନ୍ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍‌ର ସତ୍ୟତା ନେଇ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ଯାଞ୍ଚ ଆରମ୍ଭ ହୋଇଛି । ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସ୍‌କୁ ଯାଇ ଏହି ମେଲ୍‌ ପ୍ରକୃତରେ କିଏ ପଠାଇଛି ସେନେଇ ତଥ୍ୟ ସଂଗ୍ରହ କରିଛି । ଓଡ଼ିଆ ଓ ଇଂରାଜୀରେ ଆସିଥିବା ଦୁଇଟି ମେଲ୍‌କୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ୍ ।

ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସବୁ ରାଜ୍ୟର ବରିଷ୍ଠ ପୋଲିସ୍ ଅଧିକାରୀ ରହିଛନ୍ତି । ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କଡାକଡି ରହିଛି । ହେଲେ ଏହାରି ଭିତରେ ଏବେ ସକ୍ରିୟ ହୋଇଛନ୍ତି ଆତଙ୍କୀ । ବାରମ୍ବାର ଧମକ ଦେଇ ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ତେବେ ସେପ୍ତି କେହି ଅଧିକ ଧ୍ୟାନ ଦେଇନଥିବା ବେଳେ ପନ୍ନୁନ୍ ପକ୍ଷରୁ ଆସିଥିବା ମେସେଜରେ ଓଡିଆ ଲେଖା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଖଲିସ୍ତାନୀ ଆତଙ୍କୀ ପନ୍ନୁନ୍ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ମଧ୍ୟ ଓଡ଼ିଆରେ ଅନୁବାଦ କରାଯାଇଛି । ଯାହାକୁ ନେଇ ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି ? ବୋଲି ସନ୍ଧେହ ଦୃଢିଭୂତ ହୋଇଛି । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଖୋଳତାଡ଼ ।

Comments are closed.