Latest Odisha News

ଖଣି ଅଧିକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ

କେନ୍ଦୁଝର: ଖଣି ଅଧିକାରୀଙ୍କୁ ମାଫିଆଙ୍କ ଆକ୍ରମଣ। ରାସ୍ତା ଉପରେ ଖଣି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ। ବାଲି ମାଫିଆଙ୍କ ଆକ୍ରମଣରେ ଖଣି ବିଭାଗର ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ଆକ୍ରମଣ। ଏହି ଆକ୍ରମଣରେ ଖଣି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।

ଖଣି ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ଆହତ ହୋଇଛନ୍ତି । ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପ୍ରତ୍ୟେକ ଦିନ ଆନନ୍ଦପୁର ଉପଖଣ୍ଡର ବୈତରଣୀ, କୁଶେଇ ଓ ରେମାଳ ନଦୀର ବିଭିନ୍ନ ବାଲିଘାଟରୁ ଶହ ଶହ ଟ୍ରିପ୍ ବାଲି ମାଫିଆମାନେ ଚୋରାଚାଲାଣ କରିଥାନ୍ତି। ଗତକାଲି ମଧ୍ୟ ଚାଲାଣ କରାଯାଉଥିଲା। ତେବେ ବିଳମ୍ବିତ ରାତିରେ ଖଣି ଅଧିକାରୀଙ୍କ ସହ ତାଙ୍କ ଟିମ୍ ଆସି ଚଢ଼ାଉ କରିଥିଲେ।

ଏହି ସମୟରେ ବାଲି ମାଫିଆମାନେ ସେମାନଙ୍କୁ ଘେରି ଯାଇଥିଲେ। ଠେଙ୍ଗା, ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ। ଆନନ୍ଦପୁର ଘଷିପୁରା ଥାନା ସୁଡୁସୁଡ଼ିଆ ଛକ ନିକଟରେ ଗାଡ଼ି ଅଟକାଇ ଆକ୍ରମଣ କରିଛନ୍ତି। ଖଣି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରେ ମାଡ଼ ମାରିଥିଲେ। ପରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ସାଇରନ ମାରି ଆସିଥିଲା। ବାଲି ମାଫିଆ ମାନେ ପୋଲିସ ଗାଡ଼ି ଭାବି ସେଠାରୁ ଚମ୍ପଟ ମାରିଥିଲେ। କାର୍‌ରେ ଆସି ୬ରୁ ଅଧିକ ବାଲି ମାଫିଆ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 

Leave A Reply

Your email address will not be published.