ତେଲେଙ୍ଗାନା: ଜଣେ ମହିଳାଙ୍କ ସାହସିକତା ଯୋଗୁଁ ସ୍ଵାମୀଙ୍କ ବଞ୍ଚିଗଲା ଜୀବନ । ଗତ ଶନିବାର ତେଲେଙ୍ଗାନାର କୁମୁରାମ ଭୀମ ଆସିଫାବାଦ ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ କୃଷକ ଆହତ ହୋଇଥିଲେ। ଏହି ଘଟଣା ସିରପୁର ମଣ୍ଡଳର ଡୁବାଗୁଡାରେ ଘଟିଛି। ଖବର ଅନୁସାରେ ବାଘର ଆକ୍ରମଣ ପରେ କୃଷକ ସୁରେଶଙ୍କ ପତ୍ନୀ ସୁଜାତା ନିଜର ଅଦ୍ୟମ ସାହସ ଦେଖାଇଥିଲେ, ସେ ତାଙ୍କ ସ୍ୱାମୀ ରାଉଥୁ ସୁରେଶଙ୍କୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ବାଘ ସହ ମୁହାଁମୁହିଁ ହେବାକୁ ପଛାଇ ନଥିଲେ ।
ଖବର ମୁତାବକ, ଶନିବାର ସକାଳେ ସୁଜାତା ନିଜର ନିକଟସ୍ଥ କ୍ଷେତରେ କପା ଉଠାଇବାକୁ ଯାଇଥିଲେ ।ଏହାପରେ ତାଙ୍କ ସ୍ୱାମୀ ସୁରେଶ ଏକ ବଳଦଗାଡି ଧରି ସେଠାରେ ପହଞ୍ଚିଥିଲେ,କାହାକୁ ବି ଜାଣା ନଥିଲା ଯେ ଗୋଟିଏ ବାଘ ସେଠାରେ ଲୁଚି ରହିଛି। ସୁରେଶ ଲୁଚି ରହିଥିବା ବାଘର ନିକଟତର ହେବା ମାତ୍ରେ ବାଘଟି ତାଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କ ବେକକୁ ପଞ୍ଝା ମାରିଥିଲା , ଫଳରେ ସୁରେଶ ଚେତାଶୂନ୍ୟ ହୋଇଯାଇଥିଲେ।
ମାତ୍ର ୧୫ମିଟର ଦୂରରେ ଥିଲେ ସୁଜାତା । ବାଘଟି ତାଙ୍କ ସ୍ୱାମୀଙ୍କ ଉପରେ ଆକ୍ରମଣ ଦେଖି ସେ ଭୟଭୀତ ହୋଇପଡିଥିଲେ। କିନ୍ତୁ ସେତେବେଳେ ତାଙ୍କର ଭୟ ଶୀଘ୍ର ସାହସରେ ପରିଣତ ହୋଇଗଲା । ସୁଜାତା ବୁଦ୍ଧି ଖଟାଇ ଜୋରରେ ପାଟି କରିଥିଲେ ଓ ନିକଟରେ ପଡିଥିବା ପଥର ଓ ବାଡ଼ିରେ ବାଘକୁ ପ୍ରହାର କରିଥିଲେ, ଫଳରେ ସେଠାରୁ ବାଘଟି ପଳାଇ ଯାଇଥିଲା। ଏହିପରି ସୁଜାତା ତାଙ୍କ ସ୍ୱାମୀଙ୍କୁ ମରଣ ମୁହଁରୁ ବଞ୍ଚାଇ ଦେଇଥିଲେ । ଏହାପରେ ଆଖପାଖ ବିଲରେ କାମ କରୁଥିବା ଚାଷୀଙ୍କ ସାହାଯ୍ୟରେ ସୁରେଶଙ୍କୁ ହସ୍ପିଟାଲ ନେଇଯାଇଥିଲେ । ବର୍ତ୍ତମାନ ଆହତ ସୁରେଶଙ୍କ ଅବସ୍ଥା ସୁଧୁରିବାରେ ଲାଗିଛି ।
ଏହି ଘଟଣାକୁ ମନ ପକାଇ ସୁଜାତା କହିଛନ୍ତି, ମୁଁ ସେ ସମୟରେ ନିଜର ସୁରକ୍ଷା ବିଷୟରେ ଚିନ୍ତା କରିଲି ନାହିଁ । ବାସ୍ ମୋ ସ୍ବାମୀଙ୍କ ଜୀବନକୁ ବଞ୍ଚାଇବା ଲାଗି ଚିନ୍ତା କଲି । କିଛି କ୍ଷଣ ବିଳମ୍ବ ହୋଇଯାଇଥିଲେ ବୋଧେ ହୁଏ ମୋ ସ୍ବାମୀ ଆଉ ଏ ଜଗତରେ ନଥାନ୍ତେ ।
ଏବେ ଆଖପାଖରେ ସୁଜାତାଙ୍କୁ ଖୁବ୍ ପ୍ରଶଂସା ମିଳୁଛି । କାରଣ ଏପରି ସ୍ଥିତିରେ ସାଧାରଣ ମଣିଷଟି ସାହାସ ହରାଇ ବସାଇଥାଏ ।