Latest Odisha News

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଟ୍ରାଏଲ ଲ୍ୟାଣ୍ଡିଂ ସଫଳ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଉଡାଣ

ନୂଆଦିଲ୍ଲୀ: ପ୍ରଥମ ବିମାନ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସଫଳତାର ସହିତ ଅବତରଣ କରିଛି| ଇଣ୍ଡିଗୋ ବିମାନ ଜେଓ୍ବର ବିମାନବନ୍ଦରର ରନୱେରେ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ଡିଜିସିଏର ସବୁଜ ସଙ୍କେତ ପରେ ରନୱେ ଟ୍ରାଏଲ ଆରମ୍ଭ କରାଯାଉଛି। ଏହାର ସମସ୍ତ ପ୍ରସ୍ତୁତି ପୂର୍ବରୁ କରାଯାଇଥିଲା ।

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ(ନାଇଲ)ର ଅଧିକାରୀଙ୍କ ଅନୁଯାୟୀ, ବିମାନବନ୍ଦରରେ ବିମାନ ଉଡ଼ାଣର ପରୀକ୍ଷା ସୋମବାର ଅର୍ଥାତ ଡିସେମ୍ବର ୯ ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏହା ପରେ ବିମାନବନ୍ଦରରୁ ବ୍ୟବସାୟିକ ସେବା ଆରମ୍ଭ କରିବା ପାଇଁ ଏରୋଡ୍ରମ୍ ଲାଇସେନ୍ସ ପାଇଁ ଡିଜିସିଏକୁ ଏକ ଆବେଦନ କରାଯିବ।

ଅନୁମାନ କରାଯାଉଛି ଯେ, ଏପ୍ରିଲ ୧୭,୨୦୨୫ରୁ ନୋଏଡା ବିମାନ ବନ୍ଦରରେ ବ୍ୟବସାୟିକ ବିମାନ ଉଡ଼ାଣ ଆରମ୍ଭ ହେବ | ବିମାନ ବନ୍ଦରରେ କ୍ୟାଟ-୧ ଏବଂ କ୍ୟାଟ-୩ ଉପକରଣ ସ୍ଥାପନ କରାଯାଇଛି, ଯାହା କୁହୁଡ଼ିରେ ବିମାନର ଉଚ୍ଚତା ଏବଂ ଦୃଶ୍ୟମାନତା ବିଷୟରେ ସୂଚନା ପ୍ରଦାନ କରିଥାଏ ।

ଏପ୍ରିଲରୁ ବିମାନବନ୍ଦରରେ ଷାଠିଏ ଘରୋଇ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ଏବଂ ଆକାସା ସହିତ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି | ଘରୋଇ ସେବାରେ ଅହମ୍ମଦାବାଦ, ବାରାଣାସୀ, ଚେନ୍ନାଇ, ଜୟପୁର, ହାଇଦ୍ରାବାଦ, ମୁମ୍ବାଇ ଇତ୍ୟାଦି ପ୍ରମୁଖ ସହରକୁ ବିମାନ ସେବା ଉପଲବ୍ଧ ହେବ। ଜୁରିଚ୍, ସିଙ୍ଗାପୁର ଏବଂ ଦୁବାଇକୁ ଆନ୍ତର୍ଜାତୀୟ ବିମାନ ସେବା ସହ ଦୁଇଟି କାର୍ଗୋ ସେବା ଆରମ୍ଭ ହେବ ।

ବିମାନବନ୍ଦରରେ କେବଳ ଟର୍ମିନାଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ବାକି ଅଛି | ସିଭିଲ କାର୍ଯ୍ୟ ପରେ, ଭିତର ସାଜସଜ୍ଜା ଆରମ୍ଭ ହେବ, ଏଥିରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିବ | ବିମାନବନ୍ଦର ଟର୍ମିନାଲ ବିଲ୍ଡିଂର ଡିଜାଇନ ଭାରତୀୟ ସଂସ୍କୃତିକୁ କେନ୍ଦ୍ର କରି କରାଯାଉଛି | ପାହାଚ ବନାରସ ଘାଟ ଏବଂ ଛାତ ଗଙ୍ଗା ନଦୀର ଲହରି ଦ୍ୱାରା ଅନୁପ୍ରାଣିତ | ବିମାନବନ୍ଦର ପରିସରରେ ଯାତ୍ରୀମାନଙ୍କ ପାଇଁ ଏକ ପାଞ୍ଚ ତାରକା ହୋଟେଲ ନିର୍ମାଣ କରାଯାଉଛି।

Comments are closed.